ଷ୍ଟାରଡମ୍‌ ପାଇ ବଦଳିଗଲେ ଶେହନାଜ: ସାରାଜୀବନ ଝିଅଙ୍କ ମୁଁହ ଚାହିଁବେ ନାହିଁ ବୋଲି କହିଲେ ବାପା

ବମ୍ବେ: ବଦଳିଛି ସମୟ, ବଦଳିଛି ସମ୍ପର୍କର ପରିଭାଷା। କାଲି ଯେଉଁ ବାପା ଝିଅର ପ୍ରଶଂସା କରି ଥକୁ ନ ଥିଲେ, ସେ ଆଜି ଝିଅଙ୍କ ସହ ସାରାଜୀବନ କଥା ହେବେ ନାହିଁ ବୋଲି ଶପଥ ନେଇଥିବା କହିଛନ୍ତି। ବିଗ୍‌ବସ୍‌ ୧୩ ସିଜନ୍‌ରେ ପ୍ରତିଯୋଗୀ ଥିବା ଶେହନାଜ ଗିଲଙ୍କ ବ୍ୟକ୍ତିଗତ ଜୀବନର କଥା ଆମେ କହୁଛୁ। ନିକଟରେ ଏକ ସାକ୍ଷାତକାରରେ ଶେହନାଜଙ୍କ ବାପା ସନ୍ତୋଖ ସିଂହ ଝିଅଙ୍କ ସହ ସମ୍ପର୍କ ଠିକ୍‌ ଚାଲି ନ ଥିବା ସ୍ପଷ୍ଟ କରିଛନ୍ତି।

ଶେହନାଜ ପେସାରେ ଜଣେ ପଞ୍ଜାବୀ ଗାୟିକା ତଥା ଅଭିନେତ୍ରୀ। ବିଗ୍‌ବସରେ ଆସିବା ପରେ ସେ ରାତାରାତି ଚର୍ଚ୍ଚାକୁ ଆସିଥିଲେ। ଯଦିଓ ସେ ବିଜେତା ହୋଇ ନ ଥିଲେ ତଥାପି ପ୍ରଶଂସକଙ୍କ ଭରପୂର ସମର୍ଥନ ମିଳିଥିଲା ତାଙ୍କୁ। ଏବେ ସେ ଷ୍ଟାରଡମ୍‌କୁ ନେଇ ବ୍ୟସ୍ତ। ଏକାଧିକ ପ୍ରୋଜେକ୍ଟ ହାତରେ ଥିବା ଯୋଗୁ ସେ ପରିବାରକୁ ସମୟ ଦେଉ ନ ଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି।

ଶେହନାଜ ଘରକୁ ଆସିବାକୁ ମନା କରି ଦେଇଛନ୍ତି। ଚଣ୍ଡିଗଡ଼ରେ ଶୁଟିଂ କରୁଥିଲେ ହେଁ ଦୁଇ କିମି ଦୂରରେ ଥିବା ଗାଁକୁ ଯିବାକୁ ସେ ଚାହିଁ ନ ଥିଲେ। ଏପରିକି ନିକଟରେ ତାଙ୍କର ଜେଜେବାପାଙ୍କ ଅପରେଶନ ହୋଇଛି। ତାଙ୍କୁ ଦେଖିବାକୁ ଶେହନାଜ ଆସିଲେ ନାହିଁ। ମ୍ୟାନେଜରଙ୍କ ନମ୍ବର ନ ଥିବାରୁ ସେ ଝିଅଙ୍କ ସହ ଯୋଗାଯୋଗ ମଧ୍ୟ ରଖିପାରୁନାହାନ୍ତି। ଏଣୁ ସେ ସାରାଜୀବନ ତାଙ୍କ ସହ କଥା ହେବେ ନାହିଁ ବୋଲି ଶପଥ ନେଇଛନ୍ତି ବୋଲି ସନ୍ତୋଖ କହିଛନ୍ତି।

Share