୨୯ ବର୍ଷର ହେଲେ ଶେହନାଜ

ବମ୍ବେ: ବିଗ୍‌ବସ୍‌ ବଦଳାଇଦେଲା ଭାଗ୍ୟ। ପଞ୍ଜାବରୁ ଆସିଥିବା ଏକ ଗାୟିକା ଏବେ ଜଣେ ଲୋକପ୍ରିୟ ସେଲିବ୍ରିଟି। ତାଙ୍କ ଷ୍ଟାରଡମ୍‌ କୌଣସି ସୁପରଷ୍ଟାରଠାରୁ କମ୍‌ ନୁହେଁ। ଆମେ କହୁଛୁ ସମସ୍ତଙ୍କ ପ୍ରିୟ ଶେହନାଜ ଗିଲଙ୍କ କଥା। ଆଜି ଅର୍ଥାତ ଜାନୁୟାରୀ ୨୭ରେ ତାଙ୍କ ଜନ୍ମଦିନ। ସେ ୨୯ ବର୍ଷର ହୋଇଛନ୍ତି।

ବିଗ୍‌ବସ୍‌ ୧୩ରେ ନଜର ଆସିଥିଲେ ଶେହନାଜ। ରିଆଲିଟି ଶୋ’ରେ ତାଙ୍କ ବାସ୍ତବ ଚେହେରା ସମସ୍ତଙ୍କୁ ପସନ୍ଦ ଆସିଥିଲା। ବିଶେଷକରି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ତାଙ୍କର ଖଟାମିଠା ସମ୍ପର୍କ ଚର୍ଚ୍ଚାର ବିଷୟ ପାଲଟିଥିଲା। ଶୋ’ ଜିତି ନ ଥିଲେ ହେଁ ଶେହନାଜଙ୍କ ପ୍ରଶଂସକ ବହୁଗୁଣିତ ହୋଇଥିଲା। କରୋନା ଲକ୍‌ଡାଉନ୍‌ ସମୟରେ ନିୟନ୍ତ୍ରିତ ଡାଏଟ ନେଇ ସେ ପତଳି ହେବାକୁ ନିଶ୍ଚିତ କରିଥିଲେ । ଜିମ୍‌ ନ ଯାଉଥିଲେ ହେଁ ମାତ୍ର ଛଅ ମାସରେ ସେ ୧୨ କିଲୋ ଓଜନ କମାଇଥିଲେ। ଏପରି କରି ସେ ଅନେକଙ୍କ ପାଇଁ ଉଦାହରଣ ପାଲଟିଥିଲେ।

ଆଗକୁ ଶେହନାଜ ସଲମାନ ଖାଁଙ୍କ ଫିଲ୍ମରେ ନଜର ଆସିବାକୁ ଥିବାରୁ ପ୍ରଶଂସକ ଦିନ ଗଣୁଛନ୍ତି। ଏହାଛଡ଼ା ସେ ମଡେଲିଂ, କିଛି ସଙ୍ଗୀତଭିତ୍ତିକ ଭିଡିଓ ଏବଂ ଶୋ’ ହୋଷ୍ଟ କରୁଛନ୍ତି।

Share