୪ ସୁଟକେସ, ୨ଟି ବ୍ୟାଗ… ବାସ୍‌ ଏତିକି ନେଇ ଦେଶ ଛାଡି ପଳାଇଛନ୍ତି ଶେଖ ହସିନା!

ଢାକା/ନୂଆଦିଲ୍ଲୀ,୫।୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସରକାରଙ୍କ ବିରୋଧରେ ସାରା ଦେଶରେ ଚାଲିଥିବା ହିଂସାତ୍ମକ ବିରୋଧ ଯୋଗୁଁ ସେ ପଦରୁ ଇସ୍ତଫା ଦେବା ପରେ ଭାରତରେ ପହଞ୍ଚିଛନ୍ତି। ଶେଖ ହସିନା ଦେଶ ଛାଡି ଚାଲିଯିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଶେଖ ହାସିନା ୪ଟି ସୁଟକେସ ଏବଂ ଦୁଇଟି ବ୍ୟାଗରେ ନିଜ ଜୀବନର ଆୟ ସହିତ ବାଂଲାଦେଶ ଛାଡିଛନ୍ତି। ସେ ହେଲିକପ୍ଟରରେ ଦେଶ ଛାଡିଛନ୍ତି। ଏଥିସହିତ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ହସିନାଙ୍କ ସରକାରୀ ବାସଭବନରେ ପ୍ରବେଶ କରି ହିଂସା ପ୍ରଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ରବିବାର ଠାରୁ ସରକାରୀ ବିରୋଧୀ ବିରୋଧ ପ୍ରଦର୍ଶନରେ ୧୦୬ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଘରୋଇ ଜାମୁନା ଟେଲିଭିଜନ ନ୍ୟୁଜ ଚ୍ୟାନେଲ ରିପୋର୍ଟ କରିଛି ଯେ ବିବାଦୀୟ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ତାଙ୍କ ସରକାର ବିରୋଧରେ ବ୍ୟାପକ ବିରୋଧ ପରେ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ଏହି ବିବାଦୀୟ ସଂରକ୍ଷଣ ବ୍ୟବସ୍ଥା ଅଧୀନରେ, ୧୯୭୧ମସିହାରେ ବାଂଲାଦେଶ ମୁକ୍ତି ଯୁଦ୍ଧରେ ଭାଗ ନେଇଥିବା ଲୋକଙ୍କ ସମ୍ପର୍କୀୟଙ୍କୁ ସରକାରୀ ଚାକିରିରେ ୩୦ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାର ବ୍ୟବସ୍ଥା ରହିଛି।

Share