ଏବେବି ବାଂଲାଦେଶର ପ୍ରଧାନମନ୍ତ୍ରୀ ଅଛନ୍ତି ଶେଖ ହାସିନା! ରାଷ୍ଟ୍ରପତିଙ୍କ ଦାବିକୁ ନେଇ ବଢୁଛି ରାଜନୈତିକ ଉଷ୍ମତା

ଢାକା,୨୨।୧୦: ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ କହିଛନ୍ତି ଯେ ଶେଖ ହାସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାର କୌଣସି ଡକ୍ୟୁମେଣ୍ଟାରୀ ପ୍ରମାଣ ନାହିଁ। ବାଂଲାଦେଶରେ ତତ୍କାଳୀନ ଶେଖ ହସିନା ସରକାରଙ୍କ ବିରୋଧରେ ମୌଳବାଦୀମାନେ ତୀବ୍ର ବିରୋଧ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଆସିବା ପରେ ପ୍ରଧାନମନ୍ତ୍ରୀ ହାସିନା ଅଗଷ୍ଟ ୫ରେ ଇସ୍ତଫା ଦେଇ ଭାରତରେ ଆଶ୍ରୟ ନେଇଥିଲେ। ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ବିବୃତ୍ତି ସାମ୍ନାକୁ ଆସିଛି।
ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି କହିଛନ୍ତି ଯେ ସେ ଶୁଣିଛନ୍ତି ଯେ ହାସିନା ଦେଶ ଛାଡିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି, କିନ୍ତୁ ଏହାର କୌଣସି ଡକ୍ୟୁମେଣ୍ଟାରୀ ପ୍ରମାଣ ନାହିଁ। ଅନେକ ଚେଷ୍ଟା ସତ୍ତ୍ୱେ୍‌ ସେମାନେ ଏହା ସହ ଜଡିତ କୌଣସି ଡକ୍ୟୁମେଣ୍ଟ ପାଇଲେ ନାହିଁ। ସେ କହିଛନ୍ତି ଯେ ବୋଧହୁଏ ଶେଖ ହାସିନାଙ୍କ ପାଖରେ ଇସ୍ତଫା ଦେବାକୁ ସମୟ ନଥିଲା।

ଅଗଷ୍ଟ ୫ର ଘଟଣା ସମ୍ପର୍କରେ ସେ କହିଛନ୍ତି ଯେ ସକାଳ ପ୍ରାୟ ୧୦ଟା ୩୦ରେ ବଙ୍ଗଭବନ ନିକଟସ୍ଥ ହାସିନାଙ୍କ ବାସଭବନରୁ ଏକ କଲ ଆସିଥିଲା ଏବଂ ତାଙ୍କୁ କୁହାଯାଇଥିଲା ଯେ ସେ ତାଙ୍କୁ ଭେଟିବାକୁ ଚାହୁଁଛନ୍ତି। ଏକ ଘଣ୍ଟା ପରେ ଆଉ ଏକ କଲ ଆସିଲା। ସେ କହିଥିଲେ ଯେ ସେ ଆସୁନାହାଁନ୍ତି। ସବୁ ସ୍ଥାନରୁ ଅଶାନ୍ତି ଦେଖାଦେଇଥିଲା। ମୁଁ ମୋର ସାମରିକ ସଚିବ ମହମ୍ମଦ ଆଦିଲ ଚୌଧୁରୀଙ୍କୁ ଏହା ଉପରେ ଦୃଷ୍ଟି ଦେବାକୁ କହିଲି। ତାଙ୍କ ପାଖରେ ମଧ୍ୟ କୌଣସି ସୂଚନା ନଥିଲା। ତା’ପରେ ହାସିନା ଦେଶ ଛାଡିଥିବା ସୂଚନା ମିଳିଥିଲା।

Share