Categories: ଜାତୀୟ

ଶେଖ୍‌ ମୁଜିବୁର ରହମାନ, ସୁଲତାନ କାବୁସ୍‌ ପାଇବେ ଗାନ୍ଧୀ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ,୨୩।୩: ବାଂଲାଦେଶର ରାଷ୍ଟ୍ରପିତା କୁହାଯାଉଥିବା ଶେଖ୍‌ ମୁଜିବୁର ରହମାନଙ୍କୁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। କରୋନା ମହାମାରୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ ବିଦେଶ ଗସ୍ତରେ ବାଂଲାଦେଶ ଯିବାକୁ ଥିବାବେଳେ ଏହା ପୂର୍ବରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ଓମାନକୁ ଦୀର୍ଘବର୍ଷ ଧରି ଶାସନ କରିଥିବା ସୁଲତାନ କାବୁସ୍‌ଙ୍କୁ ମଧ୍ୟ ଏହି ପୁରସ୍କାର ନିମନ୍ତେ ମନୋନୀତ କରାଯାଇଥିବା ଏକ ସରକାରୀ ବିବୃତିରେ କୁହାଯାଇଛି। ପ୍ରଥମ ଥର ପାଇଁ ୨୦୧୯ ଓ ୨୦୨୦ ବର୍ଷ ନିମନ୍ତେ ଗାନ୍ଧୀ ଶାନ୍ତି ପୁରସ୍କାର ମରଣୋତ୍ତର ଭାବେ ପ୍ରଦାନ କରାଯିବ। ଓମାନ ସୁଲତାନ କାବୁସ୍‌ ବିନ୍‌ ସୈଦ୍‌ ଅଲ୍‌ ସଏଦ୍‌ ମଧ୍ୟପ୍ରାଚ୍ୟରେ ସର୍ବାଧିକ ସମୟ ଶାସନ କରିଛନ୍ତି। ପାରସ୍ୟ ଉପସାଗର ଅଞ୍ଚଳରେ କୂଟନୈତିକ ସନ୍ତୁଳନ ରକ୍ଷା କରିବାରେ ତାଙ୍କର ଅନ୍ତର୍ଜାତୀୟ ଖ୍ୟାତି ରହିଛି। ପାରସ୍ୟ ଉପସାଗର ଅଞ୍ଚଳରୁ ଭାରତର ଇନ୍ଧନ ସୁରକ୍ଷା ଆବଶ୍ୟକତା ପୂରଣ କରିବାରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା। ପୁରସ୍କାର ବାବଦରେ ୧ କୋଟି ଟଙ୍କା, ପ୍ରଶସ୍ତିପତ୍ର ମିଳିବ। ସେହିପରି ୨୦୨୦ ବର୍ଷ ପାଇଁ ମୁଜିବୁର ରହମାନଙ୍କୁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। ଚଳିତ ବର୍ଷ ବାଂଲାଦେଶ ସ୍ବାଧୀନତାର ୫୦ ବର୍ଷ ପୂର୍ତ୍ତି ପାଳନ କରିବା ସହ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛି। ଏହି କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ମୋଦି ୨୬ ତାରିଖରେ ବାଂଲାଦେଶ ଯିବେ।

Share