Categories: ଜାତୀୟ

ଶେଲି ଓବେରୟ ଏଏପିର ମେୟର ପ୍ରାର୍ଥୀ

ନୂଆଦିଲ୍ଲୀ,୨୪।୧୨: ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି) ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବିପୁଳ ସଫଳତା ହାସଲ ପରେ ଶୁକ୍ରବାର ଶେଲି ଓବେରୟଙ୍କୁ ମେୟର ପ୍ରାର୍ଥୀ କରିଛି। ଏମ୍‌ସିଡି ନିର୍ବାଚନ ଜିତିଲେ ଜଣେ ମହିଳାଙ୍କୁ ମେୟର କରାଯିବ ବୋଲି ଦିଲ୍ଲୀର ଶାସକ ଦଳ ପୂର୍ବରୁ ଘୋଷଣା କରିଥିଲା। ଏବେ ସେହି ପ୍ରତିଶ୍ରୁତିକୁ ପାଳନ କରି ଦିଲ୍ଲୀ ୟୁନିଭର୍ସିଟି (ଡିୟୁ)ର ପୂର୍ବତନ ପ୍ରଫେସର ଶେଲିଙ୍କୁ ଏହି ଟପ୍‌ ପୋଷ୍ଟ ପାଇଁ ଚୟନ କରିଛି।
ଦୀର୍ଘ ୧୫ ବର୍ଷ ଧରି ଭାଜପା ଦଖଲରେ ଥିବା ଏମ୍‌ସିଡିକୁ ଗତ ୮ତାରିଖରେ ଅନୁଷ୍ଠିତ ନିର୍ବାଚନରେ ଏଏପି ଛଡ଼ାଇ ନେଇଥିଲା। ୨୫୦ ଓ୍ବାର୍ଡ ମଧ୍ୟରୁ ୧୩୪ରେ ଏଏପି ବିଜୟୀ ହୋଇଥିବାବେଳେ ଭାଜପା ୧୦୪ ଓ୍ବାର୍ଡରେ ସୀମିତ ରହିଛି। କଂଗ୍ରେସକୁ ମାତ୍ର ୯ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଭାଜପା ଗଡ଼ ଭାବେ ପରିଚିତ ଇଷ୍ଟ୍‌ ପଟେଲନଗର ଓ୍ବାର୍ଡରେ ଏଏପି ଟିକେଟରେ ଶେଲି ପ୍ରଥମ ଥର ପାଇଁ କାଉନ୍‌ସିଲର ନିର୍ବାଚିତ ହୋଇଛନ୍ତି। ଜାନୁୟାରୀ ୬ରେ ହେବାକୁ ଥିବା ମେୟର ନିର୍ବାଚନରେ ଭାଜପା ନିଜ ପ୍ରାର୍ଥୀ ପ୍ରତ୍ୟାହାର କରିପାରେ ବୋଲି କୁହାଯାଉଥିବାବେଳେ ଶେଲିଙ୍କ ବିଜୟ ସମ୍ଭାବନା ଉଜ୍ଜ୍ୱଳ ହୋଇଛି। ଡେପୁଟି ମେୟର ପ୍ରାର୍ଥୀ ଭାବେ ଆଲେ ମହମ୍ମଦ ଇକ୍‌ବାଲଙ୍କ ନାମ ଘୋଷଣା କରାଯାଇଛି।

Share