Categories: ଖେଳ

ପ୍ରଥମଥର ସେମିରେ ଶେଲ୍‌ଟନ

ନ୍ୟୁୟର୍କ, ୭।୯(ଏପି): ଆମେରିକାର ବେନ୍‌ ଶେଲ୍‌ଟନ ପ୍ରଥମଥର ପାଇଁ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। କୌଣସି ଗ୍ରାଣ୍ଡସ୍ଲାମରେ ମଧ୍ୟ ଏହା ତାଙ୍କର ପ୍ରଥମ ସେମିଫାଇନାଲ ପ୍ରବେଶ। ୨୦ ବର୍ଷୀୟ ବେନ୍‌ କ୍ୱାର୍ଟର ଫାଇନାଲରେ ୧୪ଟି ଏସେସ୍‌ ମାରି ନିଜ ଦକ୍ଷତାର ପ୍ରମାଣ ଦେଇଥିବାବେଳେ ୧୧ଟି ଡବଲ ଫଲ୍ଟ ମଧ୍ୟ କରିଥିଲେ। ତେବେ ଟାଇବ୍ରେକର ସମୟରେ ଧୈର୍ଯ୍ୟ ନ ହରାଇ କ୍ୱାର୍ଟର ଫାଇନାଲରେ ନିଜ ଦେଶର ଫ୍ରାନ୍ସେସ ଟିଆଫୋଙ୍କୁ ୬-୨, ୩-୬, ୭-୬ (୭), ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ୨୦୦୫ ପରେ ଆୟୋଜକ ଦେଶର ଦୁଇ ଖେଳାଳି ପ୍ରଥମଥର ପାଇଁ ୟୁଏସ୍‌ ଓପନ କ୍ୱାର୍ଟର ଫାଇନାଲ ଖେଳିଥିଲେ। ଫଳରେ ଦର୍ଶକ ଅନେକ ସମୟରେ କାହାକୁ ସମର୍ଥନ କରିବେ ଦ୍ୱିଧାରେ ପଡ଼ି ଯାଇଥିଲେ। ତେବେ ଭିନ୍ନଭିନ୍ନ ସମୟରେ ସେମାନେ ଉଭୟ ଖେଳାଳିଙ୍କୁ ସମର୍ଥନ କରିଥିଲେ। ସେମିଫାଇନାଲରେ ଶେଲ୍‌ଟନ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ଙ୍କୁ ଭେଟିବେ। ଶୁକ୍ରବାର ହେବାକୁଥିବା ଏହି ହେଭିଓ୍ବେଟ ମ୍ୟାଚ ଜିତିପାରିଲେ ଶେଲ୍‌ଟନ ଫାଇନାଲରେ ପ୍ରବେଶ କରିପାରିବେ। ୩୬ ବର୍ଷୀୟ ଜୋକୋଭିଚ୍‌ ଅନ୍ୟ କ୍ୱାର୍ଟର ଫାଇନାଲରେ ଆମେରିକାର ଟେଲର ଫ୍ରିଜ୍‌ଙ୍କୁ ୬-୧, ୬-୪, ୬-୪ ସେଟ୍‌ରେ ହରାଇ ସେମିରେ ପହଞ୍ଚତ୍ଛନ୍ତି। ଏହା ତାଙ୍କ କ୍ୟାରିୟରର ୪୭ତମ ଗ୍ରାଣ୍ଡସ୍ଲାମ ସେମିଫାଇନାଲ। ଏ କ୍ଷେତ୍ରରେ ସେ ରୋଜର ଫେଡେରରଙ୍କ ରେକର୍ଡ ଭାଙ୍ଗିଛନ୍ତି।

ମୁଚୋଭା, ଗଫ୍‌ ସେମିରେ

ମହିଳା ସିଙ୍ଗଲ୍ସରେ ଚେକ୍‌ ରିପବ୍ଲିକର କାରୋଲିନା ମୁଚୋଭା ସେମିଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାର୍ଟର ଫାଇନାଲରେ ସେ ରୋମାନିଆର ସୋରାନା କିର୍ଷ୍ଟିଆଙ୍କୁ ସିଧାସଳଖ ୬-୦, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ଆମେରିକାର କୋକୋ ଗଫ୍‌ ମଧ୍ୟ ପ୍ରଥମଥର ପାଇଁ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୧୯ ବର୍ଷୀୟା ଗଫ୍‌ ଲାଟିଭିଆର ଜେଲିନା ଓଷ୍ଟାପେଙ୍କୋଙ୍କୁ ୬-୦, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ୨୦୦୧ରେ ସେରେନା ଓ୍ବିଲିୟମ୍ସଙ୍କ ପରେ ଏହି ଆମେରିକାନ ଟିନ୍‌ଏଜର ଫ୍ଲୁଶିଂ ମାଡୋସରେ ଫାଇନାଲ ଫୋର୍‌ (ସେମିଫାଇନାଲ)ରେ ସ୍ଥାନ ପକ୍କା କରିଛନ୍ତି। ଶେଷ ୧୭ ମ୍ୟାଚରୁ ଏହାଥିଲା ଗଫ୍‌ଙ୍କର ୧୬ତମ ବିଜୟ। ସେମିଫାଇନାଲରେ ମୁଚୋଭାଙ୍କ ସହ ତାଙ୍କର ମୁକାବିଲା ହେବ।

Share