Categories: ଖେଳ

ଶେରାଓ୍ବତ ସବୁଠାରୁ ଦାମୀ ଖେଳାଳି

ମୁମ୍ବାଇ, ୧୧ା୧୦(ପି.ଟି.): ଭାରତର ପଓ୍ବନ ଶେରାଓ୍ବତ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ପ୍ରୋ-କବାଡ଼ି ଲିଗ୍‌ର ସବୁଠାରୁ ଦାମୀ ଖେଳାଳି ବିବେଚିତ ହୋଇଛନ୍ତି। ତେଲୁଗୁ ଟାଇଟାନ୍ସ ତାଙ୍କୁ ୨.୬୦ କୋଟି ଟଙ୍କାରେ କ୍ରୟ କରିଛି। ଚଳିତବର୍ଷର ନିଲାମିରେ ମୋଟ ୬୦୧ ଖେଳାଳି ଭାଗ ନେଇଥିଲେ। ସିଜନ-୯ ନିଲାମିରେ ତାମିଲ ଥଲାଇଭାସ ଶେରାଓ୍ବତଙ୍କୁ ୨.୨୬ କୋଟି ଟଙ୍କାରେ କ୍ରୟ କରିଥିଲା। ଏସିଆନ ଗେମ୍ସ ଫାଇନାଲରେ ଇରାନ ବିପକ୍ଷ ବିଜୟ ମ୍ୟାଚରେ ଶେରାଓ୍ବତଙ୍କ ବଡ଼ ଭୂମିକା ରହିଥିଲା। ତାଙ୍କୁ ସେମାନଙ୍କ ଦଳରେ ନେବାଲାଗି ହରିୟାଣା ଷ୍ଟିଲର୍ସ, ୟୁପି ଯୋଦ୍ଧାସ, ତେଲୁଗୁ ଟାଇଟାନ୍ସ ଓ ବେଙ୍ଗାଲୁରୁ ବୁଲ୍ସ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଦୁଇଦିନିଆ ନିଲାମିର ପ୍ରଥମ ଦିବସରେ ଇରାନର ମହମାଦ୍ରେଜା ଶାଦୋଲି ଚିୟାନେଶ ସବୁଠାରୁ ଦାମୀ ଖେଳାଳି ବିବେଚିତ ହୋଇଥିଲେ। କାଟେଗୋରି-ଏ’ରେ ପୁନେରି ପଲ୍‌ଟନ ତାଙ୍କୁ ୨.୩୫ କୋଟି ଟଙ୍କାରେ କ୍ରୟ କରିଥିଲା। ଭାରତର ମନିନ୍ଦର ସିଂଙ୍କର ମଧ୍ୟ ଚାହିଦା ରହିଥିଲା। ତାଙ୍କୁ ବେଙ୍ଗଲ ଓ୍ବାରିୟର୍ସ ୨.୧୨ କୋଟି ଟଙ୍କାରେ ନେଇଥିଲା। ପ୍ରୋ-କବାଡ଼ି ଲିଗ୍‌ର ୧୦ମ ସଂସ୍କରଣରେ ମୋଟ ୧୩୭ ମ୍ୟାଚ ଖେଳାଯିବ। ୧୩୨ ଲିଗ୍‌ ପର୍ଯ୍ୟାୟ ମ୍ୟାଚ ପରେ ୫ ପ୍ଲେଅଫ୍‌, ଦୁଇ ଏଲିମିନେଟର, ଦୁଇ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। କାଟେଗୋରି ‘ଏ’ର ବେସ୍‌ ପ୍ରାଇସ୍‌ ୩୦ଲକ୍ଷ, କାଟେଗୋରି ‘ବି’ ପାଇଁ ୨୦ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ‘ସି’ ଓ ‘ଡି’ କାଟେଗୋରି ପାଇଁ ଯଥାକ୍ରମେ ୧୩ ଲକ୍ଷ ଓ ୯ ଲକ୍ଷ ଟଙ୍କା ରଖାଯାଇଥିଲା।

Share