Categories: ଗଞ୍ଜାମ

ଲେମ୍ବୁ ଓ ପାଟ ଯୋଗୁ ଶେରଗଡ଼ର ଥିଲା ସ୍ବତନ୍ତ୍ର ପରିଚୟ

ଶେରଗଡ଼,୧୭ା୩(ଡି.ଏନ୍‌.ଏ.):  ଗଞ୍ଜାମ ଜିଲା ଶେରଗଡ଼ର ଲେମ୍ବୁ ଓ ପିତଳର ହାତବୁଣା ପାଟର ଏକ ସ୍ବତନ୍ତ୍ର ପରିଚୟ ଥିଲା। ୧୯୫୦-୧୯୯୯ ପର୍ଯ୍ୟନ୍ତ ଏହି ଦୁଇଟି ବ୍ୟବସାୟ କୋଲକାତା ଓ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଥିଲା।
ବ୍ୟବସାୟକୁ ନେଇ ଶେରଗଡ଼ ପାଢୀ ସାହିର ବହୁ ପରିବାର ଚଳୁଥିଲେ। ୧୯୫୦ରେ ୧୦୦ରୁ ଅଧିକ ପରିବାର ଲେମ୍ବୁ ବ୍ୟବସାୟ କରି ଚଳୁଥିଲେ। ଧୀରେ ଧୀରେ ବସ୍‌ ସେବା ଆରମ୍ଭ ହେବା ପରେ ଲେମ୍ବୁ ବାଲୁଗାଁ, ଖୋର୍ଦ୍ଧା ଓ ଭୁବେନେଶ୍ୱରରୁ କୋଲକାତା, ଦିଲ୍ଲୀ ଯାଉଥିଲା। ଶେରଗଡ଼ ବ୍ଲକର ସେରାଙ୍କୁଡା, ସୁବଳୟାପଲ୍ଲି, ଡେଙ୍ଗାପଦର, ପିତଳ, କୁରୁଳା ପର୍ଯ୍ୟନ୍ତ ଚାଷୀମାନେ ଲେମ୍ବୁ ବଗିଚା ସୃଷ୍ଟି କରିଥିଲେ। ୧୯୯୦ ଏପ୍ରିଲର ବନ୍ୟା ଓ ୧୯୯୯ ଅକ୍ଟେବାର ମହାବାତ୍ୟା ପରଠୁ ଲେମ୍ବୁ ଚାଷ କମିଗଲା। ସେପଟେ ଲେମ୍ବୁ ମହଜୁଦ ରଖିବା ପାଇଁ ବଜାର ଗୃହ ନ ଥିବା, ଆର୍ଥିକ ପ୍ରୋତ୍ସାହନର ଅଭାବ, ଚାଷୀଙ୍କୁ ଉନ୍ନତ କୌଶଳ ତାଲିମ ନ ନେବା ଫଳରେ ଏହି ଚାଷକୁ ଛାଡି ଅନ୍ୟ ଚାଷକୁ ଲୋକମାନେ ଆପଣେଇଲେ ା ପୁରାତନ ଲେମ୍ବୁଚାଷୀ ଜୟଦେବ ଗୌଡ଼ କହନ୍ତି, ୧୯୭୦ରୁ ୧୯୭୫ରେ ମୋର ଗ୍ରାଜୁଏଶନ ସମୟରେ ଲେମ୍ବୁ ବିକି ମୁଁ ଚଳୁଥିଲି। ଲେମ୍ବୁଚାଷୀ ସନ୍ତୋଷ କୁମାର ପାଢୀ କୁହନ୍ତି, ଲେମ୍ବୁଚାଷକୁ ମହାବାତ୍ୟା ନଷ୍ଟ କରିଦେଲା। ଶେରଗଡରୁ ଲେମ୍ବୁ ସଂଗ୍ରହ କରି ଆସିକା ବାଲୁଗାଁ, ଖୋର୍ଦ୍ଧାରେ ବିକ୍ରି କରି ଲାଭ ପାଉଥିଲୁ ବୋଲି ବ୍ୟବସାୟୀ ଲକ୍ଷ୍ମଣ ଗୌଡ଼ କହିଛନ୍ତି।
ପିତଳର ପାଟ: ଶେରଗଡ଼ ବ୍ଲକ ପିତଳରେ ପୁଣି ପାଟ ଆମଦାନୀ ହେଉଥିଲା। ଯେଉଁ ପାଟ ପାଇଁ ଆଜି ବ୍ରହ୍ମପୁର ସହର ପ୍ରସିଦ୍ଧ ରହିଛି। ପିତଳର ପାଟ ଚାହିଦା ଥିଲା ଯେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ଜବାହରଲାଲ ନେହରୁ ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏଠାରୁ ପାଟ ମଗାଉଥିଲେ। ପିତଳର ଡେରା ସାହି ଆଜି ସାନ ଡେରାସାହି, ବଡ଼ଡେରା ସାହିରେ ପରିଣତ ହୋଇଛି। ସେହି ଡେରାଗୁଡ଼ିକର ମୁଖ୍ୟ ଜୀବିକା ଥିଲା ପାଟବୁଣା। ପାଟ ବେପାରୀମାନଙ୍କ ସମସ୍ୟା ବୁଝିବା ପାଇଁ ପିତଳ ତନ୍ତୁବାୟ ସମିତି ଆରମ୍ଭ ହୋଇଥିଲା। ଏହି ସମିତି ମାଧ୍ୟମରେ ପାଟ ଜମା ହେଉଥିଲା। ହେଲେ ବର୍ତ୍ତମାନ ବହୁ ପରିବାର ପାଟ ବୁଣା କାର୍ଯ୍ୟ ବନ୍ଦ କରିଦେଲେଣି। ବୁଣାକାର ସଂଖ୍ୟା କମିଥିବାରୁ ତନ୍ତୁବାୟ ସମିତି ଆଉ ଆଗଭଳି ଅର୍ଥ ଦେଣନେଣ କରିପାରୁନି। ଆଗଭଳି ଆଉ ପାଟର ଚାହିଦା ବଜାରରେ ନାହିଁ ା ବଜାରରେ ଛାଡ଼ିବାକୁ ହେଲେ ଅଧିକ ପୁଞ୍ଜି ନିବେଶ ସହ ଅତ୍ୟାଧୁନିକ ଯନ୍ତ୍ରପାତି, ତାଲିମର ଆବଶ୍ୟକ ଏବଂ ବଜାର ଗୃହର ଆବଶ୍ୟକତା ରହିଛି।