ଶେରଗଡ଼ ଥାନା ଅଧିକାରୀ ହତ୍ୟା ମାମଲା: ୧୫ରେ ଆସିବ ଚୂଡାନ୍ତ ରାୟ

ବ୍ରହ୍ମପୁର,୧୩ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ୨୦୧୦ ନଭେମ୍ବର ୨୬ ତାରିଖ ରାତିରେ ଗଞ୍ଜାମ ଜିଲା ଶେରଗଡ଼ ଥାନାର ତତ୍କାଳୀନ ଭାରପ୍ରାପ୍ତ ଅଧିକାରୀ ମନୋରଞ୍ଜନ ମିଶ୍ରଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲା ପରିଚାଳନା ପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଜିଲା ଓ ଦୌରାଜଜ୍‌ କୋର୍ଟର ସରକାରୀ ପିପି ଭାବେ କାର୍ଯ୍ୟରତ ଥିବା ତ୍ରିଲୋଚନ ପରିଡା ସ୍ବତନ୍ତ୍ର ଭାବେ ନିୟୋଜିତ ହୋଇଛନ୍ତି। ଆସନ୍ତା ୧୫ ତାରିଖରେ ଏହି ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଁ କୋର୍ଟ ପକ୍ଷରୁ ଦିନ ଧାର୍ଯ୍ୟ ହୋଇଥିବା ସ୍ବତନ୍ତ୍ର ପିପି ପରିଡ଼ା ସୂଚନା ଦେଇଛନ୍ତି। ଅନ୍ୟପଟେ ୧୩ ବର୍ଷ ପରେ ମୃତ ଇନ୍ସପେକ୍ଟରଙ୍କ ପରିବାର ଲୋକେ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି।

ସୂଚନା ଯୋଗ୍ୟ, ଶେରଗଡ଼ ଥାନା ତତ୍କାଳୀନ ଭାରପ୍ରାପ୍ତ ଅଧିକାରୀ ମନୋରଞ୍ଜନ ମିଶ୍ର ରାତି ପ୍ରାୟ ୧୧ଟାରେ ପାଟ୍ରୋଲିଂ ସାରି ଥାନାରୁ ବାଇକ୍‌ରେ ହିଞ୍ଜିଳିକାଟୁ ଘରକୁ ଫେରୁଥିଲେ। ଥାନାରୁ ଅଳ୍ପ ଦୂରରେ କେତେଜଣ ଯୁବକ ତାଙ୍କୁ ଅଟକାଇ ଥିଲେ। କୌଣସି କଥାକୁ ନେଇ ସେଠାରେ ବଚସା ପରେ ଅତି ନିକଟରୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ଅଭିଯୋଗ ପରେ ଶେରଗଡ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ପରେ ଏହି ମାମଲାରେ ପୋଲିସ ଅଭିଯୁକ୍ତ ସୁନିଲ ବେହେରା, ସମୀର ପଣ୍ଡା, ସୁଶାନ୍ତ ବେହେରାଙ୍କୁ ଗିରଫ କରିଥିଲା। ସମୀର ଓ ସୁଶାନ୍ତ ଜାମିନରେ ଆସିଥିଲେ। ସୁଶାନ୍ତ ଏକ ଡକାୟତି ମାମଲାରେ ସମ୍ପୃକ୍ତ ରହି ଦୋଷୀ ସାବ୍ୟସ୍ତ ହୋଇଥିଲେ। ହେଲେ ସେ କୋର୍ଟଙ୍କ ନିର୍ଦ୍ଦେଶ ମାନି ହାଜିରା ଦେବାକୁ ଆସି ନ ଥିଲେ। ତେଣୁ ତାଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଥିଲା। ନିକଟରେ ଟାଉନ୍‌ ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ପୂର୍ବରୁ ଆସିକା ଅତିରିକ୍ତ ଜିଲା ଓ ଦୌରାଜଜ (ଏଡିଜେ) କୋର୍ଟରେ ୨୨ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇସାରିଛି। ଶେରଗଡ଼ ଥାନାର ତତ୍କାଳୀନ ଇନ୍ସପେକ୍ଟର ଜୟ କୁମାର ପଟ୍ଟନାୟକ ଓ ମୃତ ମନୋରଞ୍ଜନଙ୍କ ସ୍ତ୍ରୀଙ୍କ ମଧ୍ୟ ବୟାନ ରେକର୍ଡ ହୋଇସାରିଛି।

Share