ଶେରଗଡ଼,୨୬।୧୧(ଡି.ଏନ.ଏ) ସୂର୍ଯ୍ୟନାରାୟଣ ଦାଶ: ଗଞ୍ଜାମ ଜିଲା ଶେରଗଡରେ ରହିଛି ଐତିହ୍ୟ ଓ ପରମ୍ପରାର ମୂକସାକ୍ଷୀ ଜଗନ୍ନାଥ ମନ୍ଦିର ଓ ଚନ୍ଦ୍ରବିଳାସ ରାଜପ୍ରାସାଦ। ଏହାକୁ ନେଇ ଶେରଗଡ଼ବାସୀ ଗର୍ବ କରନ୍ତି। ଏହି କୀର୍ତ୍ତି ଆଜି ମୂକସାକ୍ଷୀ ହୋଇ ଛିଡା ହୋଇଛି ବଡ଼ଦାଣ୍ଡ ଶେଷରେ। ଜଗନ୍ନାଥ ମନ୍ଦିରଟି ୫୦୦ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଚନ୍ଦ୍ରବିଳାସ ରାଜପ୍ରାସାଦଟି ୧୨୦ବର୍ଷର ପୁରୁଣା। କୁହାଯାଏ ଏ ଦୁଇଟି କୀର୍ତ୍ତି ମଧ୍ୟରେ ରହିଛି ପାରିବାରିକ ସମ୍ପର୍କ। ଏଥିରେ ପୁରୁଣା କାଳର କାରୁକାର୍ଯ୍ୟର ଛିଟା ଦେଖିବାକୁ ମିଳେ।
କିମ୍ବଦନ୍ତୀରୁ ଜଣାଯାଏ, ଶେରଗଡ ରାଜପରିବାରର ୬ପିଢ଼ି ଏହି ସର୍ବପୁରାତନ ଜଗନ୍ନାଥ ମନ୍ଦିରକୁ ଦେଖି ଆସିଛନ୍ତି । ଏମାନଙ୍କ ମଧ୍ୟରେ ବର୍ତ୍ତମାନ ଥିବା ପୂର୍ଣ୍ଣଚନ୍ଦ୍ର ସିଂଦେଓ ଓ ପ୍ରସନ୍ନ କୁମାର ସିଂଦେଓ ଅଛନ୍ତି। ପୂର୍ବପିଢ଼ି ରାଜାଙ୍କ ମଧ୍ୟରେ ଉଦୟ ପ୍ରତାପ ସିଂଦେଓ, ଶୋଭାଚନ୍ଦ୍ର ସିଂଦେଓ, କୃଷ୍ଣ ମୋହନ ସିଂଦେଓ,ବ୍ରଜ ମୋହନ ସିଂଦେଓ ଏବଂ ଲଷ୍ମୀ ନୃସିଂହ ସିଂଦେଓଙ୍କ ସମେତ ଆହୁରି ଅନେକ ରାଜା ଏହି ମନ୍ଦିର ସହିତ ଜଡିତ।
ବର୍ତ୍ତମାନର ଶ୍ରୀପଦ ମଞ୍ଜରୀ ଉଚ୍ଚ ବିଦ୍ୟାଳୟ ସ୍ଥାନରେ ଥିଲା ସେହି ପୂର୍ବତନ ରାଜଉଆସ। ଯାହାର ନାମ ଥିଲା ଜୟମଙ୍ଗଳ ରାଜପ୍ରାସାଦ। ଏହି ପ୍ରାସାଦରେ ରହି ଆସୁଥିଲେ ସେହି ୬ ପିଢ଼ି ରାଜପରିବାର ସଦସ୍ୟ। ରାଜାଙ୍କ ଚଳଣି କହିଲେ ଶେରଗଡ ଚାରିପଟେ ଚାରିଖଣ୍ଡ ତାଲୁକାରେ ଥିବା ଜମି। ଉକ୍ତ ଜମିର ମାହାସୁଲରୁ ଯାହା ଆଦାୟ ହେଉଥିଲା ରାଜପରିବାର ଚଳିବା ସହ ପରମ୍ପରା ବଜାୟ ରଖୁଥିଲେ। ରାଜପରିବାର ପକ୍ଷରୁ କିଛି ଜମି ଦାନକରି କେତେକ ବ୍ରାହ୍ମଣ ଶାସନ ବସାଇଥିଲେ। ସେଗୁଡ଼ିକ ମଧ୍ୟରେ ବଳିଆରସିଂପୁର ଶାସନ,ହରିକୃଷ୍ଣପୁର ଶାସନ, ରାମକୃଷ୍ଣପୁର ଶାସନ, ମାରୁଶାସନ ଓ ବିଜୟରାଜେନ୍ଦ୍ରପୁର ଶାସନ ଆଦି ସ୍ଥାନରେ ନିଜ ଜମି ଦେଇ ବ୍ରାହ୍ମଣମାନଙ୍କୁ ଡକାଇ ଶାସନ ପ୍ରତିଷ୍ଠା କରିଥିଲେ।
ଶେରଗଡ ରାଜପରିବାର ଓ ଜଗନ୍ନାଥ ମନ୍ଦିର ଭିତରେ ଇଷ୍ଟ ଦେବତା ଓ ସେବାୟତର ସମ୍ପର୍କ ଥିଲା। ଏଣୁ ଜଗନ୍ନାଥ ମନ୍ଦିର ଓ ରାଜପରିବାର ମଧ୍ୟରେ ଏକ ନିବିଡ ଓ ଅତୁଟ ବନ୍ଧନ ବହୁ ପୁରୁଣାକାଳରୁ ରହି ଆସିଛି। ଜୟମଙ୍ଗଳ ରାଜ ପ୍ରାସାଦଟି ବହୁ ପୁରାତନ ହୋଇଥିବାରୁ ରାଜ ପରିବାରଗଣ ଜଗନ୍ନାଥ ମନ୍ଦିର ପାର୍ଶ୍ୱରେ ଏକ ନୂଆ ରାଜପ୍ରାସାଦ କରିବାକୁ ମନସ୍ଥ କରି ୧୯୧୨ରେ ରାଜ ପ୍ରାସାଦ ନିର୍ମାଣ ଜଗନ୍ନାଥ ମନ୍ଦିରକୁ ଲାଗି ଆରମ୍ଭ ହେଲା। ଦୀର୍ଘ ୨ବର୍ଷ ଅର୍ଥାତ୍ ୧୯୧୬ରେ କାମ ସରିବା ପରେ ଚନ୍ଦ୍ରବିଳାସ ରାଜପ୍ରାସାଦ ଭାବରେ ନାମିତ କରି ସେ ସମୟର ରାଜା ଶୋଭାଚନ୍ଦ୍ର ସିଂଦେଓ ଓ ଉଦୟ ପ୍ରତାପ ସିଂଦେଓ ଏବଂ ତାଙ୍କ ପରିବାର ସେଠାରେ ବସବାସ କଲେ। ନବନିର୍ମିତ ରାଜପ୍ରାସାଦରେ ୫୦ରୁ ଅଧିକ କୋଠରି ଥିଲା। ସେଥିରେ ଦରବାର ହଲ, ବୈଠକ ଖାନା, ରାଣୀ ମହଲ, ପାକଶାଳା,ଭଣ୍ଡାର ଗୃହ, ଅଳଙ୍କାର ଗୃହ, ଗୋଦାମ ଗୃହ, ସ୍ନାନାଗାର ଓ ରାଜ ଅଭିଷେକ ମଣ୍ଡପ ସମେତ ଏମିତି ଅନେକ କିଛି ଗୃହ ରହିଛି।
୧୯୭୬ରେ ରାଜ୍ୟ ସରକାରଙ୍କ ସିଲିଂ ରାଜସ୍ବ ଆଇନ ରାଜପରିବାରର ବହୁତ କିଛି କ୍ଷତି ଘଟାଇଲା। ଶେରଗଡ ବ୍ଲକ ଚାରିଖଣ୍ଡ ତାଲୁକାରେ ଯାହା ଜମି ଥିଲା ତାହା ପୁରା ରାଜସ୍ବ ବିଭାଗ ନିଜ ହାତକୁ ନେଇ ଉକ୍ତ ଜମିକୁ ଗରିବ ଓ ଭୂମିହୀନ ପରିବାରକୁ ପ୍ରଦାନ କରିଦେଲା। ଗରିବ ଭୂମିହୀନ ପରିବାରଙ୍କୁ ସରକାର ରାଜ ପରିବାରଠାରୁ ସିଲିଂ ଆକାରରେ ଜମି ଛଡ଼େଇ ନେଲେ ଅଥଚ ରାଜ ପରିବାର ସହାୟତା କି କ୍ଷତି ପୂରଣ ଦେଲେ ନାହିଁ। ଫଳରେ ରାଜପରିବାର ହଜାର ହଜାର ଭରଣ ଜମି ହରାଇଲେ। ଫଳରେ ରାଜପରିବାର ଚଳଣିରେ ବାଧକ ସାଜିଲା ଅର୍ଥ। ସେହି ପ୍ରଭାବ ମଧ୍ୟ ଜଗନ୍ନାଥ ମନ୍ଦିରରେ ପଡିଲା। ଜଗନ୍ନାଥ ମନ୍ଦିରର ବିକାଶ ଦିଗରେ ରାଜପରିବାରର ମୁଖ୍ୟ ଭୂମିକା ରହିଛି। ରାଜପରିବାର ପତନ ପାଇଁ ସରକାରଙ୍କ ରାଜସ୍ବ ସିଲିଂ ବ୍ୟବସ୍ଥା ଦାୟୀ। ଜଗନ୍ନାଥ ମନ୍ଦିର ୫୦୦ ବର୍ଷ ପୁରୁଣା ହୋଇଥିବା ବେଳେ ରାଜପ୍ରାସାଦ ମଧ୍ୟ ୧୨୦ ବର୍ଷରେ ପହଞ୍ଚିଛି। ଦୁଇଟି ଯାକ ଐତିହାସିକ କୀର୍ତ୍ତିର ପୁନରୁଦ୍ଧାର ଜରୁରୀ। ଏଥିପ୍ରତି ଦୃଷ୍ଟି ନ ଦେଲେ ତାହା ନଷ୍ଟ ହୋଇଯିବ। ଦୁଇଟି ଯାକ କୀର୍ତ୍ତିର ରକ୍ଷଣାବେକ୍ଷଣ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ।
ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀ ଦୃଷ୍ଟିଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ବରିଷ୍ଠ ନେତା ହୃଷୀକେଶ ପାଢୀ, ବାସୁଦେବ ସ୍ବାଇଁ, ଗୌରହରି ବିଷୋୟୀ ଓ ଶ୍ରୀଦୀପ ମହାପାତ୍ର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦରଖାସ୍ତ ଦେଇ ଏହାର ରକ୍ଷଣା ବେକ୍ଷଣ ଲାଗି ଅନୁରୋଧ କରିଥିବା ଜଣାପଡିଛି। ଏ ସମ୍ପର୍କରେ ରାଜା ସାହେବ ପୂର୍ଣଚନ୍ଦ୍ର ସିଂ ଦେଓ ଓ ପ୍ରସନ୍ନ କୁମାର ସିଂ ଦେଓ କହନ୍ତି, ଆମ ଜଗନ୍ନାଥ ମନ୍ଦିରର ନିତିକାନ୍ତି ଭଳି ରାଜା ରାଜୁଡା ପରମ୍ପରା ଓ ବହୁ ସେବାୟତଙ୍କ ଗହଣରେ ଚାଲିଛି। ଏକ କମିଟି ଗଠନ କରି ପ୍ରାସାଦକୁ ସୁନ୍ଦର କରିବା ପାଇଁ ପଦକ୍ଷେପ ନିଆଯାଇଛି। ମନ୍ଦିର ଓ ରାଜ ପ୍ରାସାଦଟି ପୁରୁଣା ହୋଇଗଲାଣି। ଏହାକୁ ନୂତନ ଭାବେ ନିର୍ମାଣ କରାଗଲେ କିଛି ବର୍ଷ କୀର୍ତ୍ତୀଭାବେ ରହନ୍ତା। ଏହି ଜଗନ୍ନାଥ ମନ୍ଦିର ବହୁ ପୁରାତନ ଏଣୁ ମୁଖ୍ୟମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦିଅନ୍ତୁ।
ବି.ଚେଇନ ପାତ୍ର, ସୀତାରାମ ପଟ୍ଟନାୟକ କୁହନ୍ତି, ଶେରଗଡ ଜଗନ୍ନାଥ ଚଳନ୍ତି ଠାକୁର। ଭକ୍ତଙ୍କ ମନସ୍କାମନା ପୂରଣ କରନ୍ତି । ଏଣୁ ରାଜପ୍ରାସାଦ ଓ ଜଗନ୍ନାଥ ମନ୍ଦିର ପ୍ରତି ସରକାର ଦୃଷ୍ଟି ଦିଅନ୍ତୁ।
ପରିବହନ ବିଭାଗର ଅତିରିକ୍ତ ସଚିବ ସମୀକ୍ଷା କରୁଛନ୍ତି।