Categories: କୋରାପୁଟ

୭ ବର୍ଷ ହେଲା ରଶିରେ ବନ୍ଧା ଶୈଶବ

କୁନ୍ଦୁରା,୫ା୬(ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ସଦରମହକୁମାରୁ ୧ କି.ମି. ଦୂର କାଉଡିଆଗୁଡା ଗ୍ରାମରେ ସପରିବାର ରହନ୍ତି ବଳରାମ ପେଣ୍ଟିଆ। ସ୍ତ୍ରୀ ଲକ୍ଷ୍ମୀ, ୩ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର। ବଳାରାମଙ୍କ ମୃତ୍ୟୁ ପରେ ପରିବାରର ଦାୟିତ୍ୱ ପଡିଥିଲା ଲକ୍ଷ୍ମୀଙ୍କ ଉପରେ। ତାଙ୍କ ପୁଅମାନଙ୍କ ମଧ୍ୟରେ ଗୋକୁଳ (୧୦) ଥିଲେ ଜନ୍ମରୁ ମାନସିକ ଭିନ୍ନକ୍ଷମ। ଏଥିପାଇଁ ଗୋକୁଳଙ୍କୁ ଦୀର୍ଘ ୭ ବର୍ଷ ହେବ ପରିବାର ଲୋକେ ରଶିରେ ବାନ୍ଧି ଘରେ ରଖିଛନ୍ତି। ରଶିରେ ବନ୍ଧାପଡିଛି ତାଙ୍କ ଶୈଶବ। ବଳରାମଙ୍କ ମୃତ୍ୟୁ ପରେ ବହୁତ କଷ୍ଟରେ ଚଳୁଛି ଲକ୍ଷ୍ମୀଙ୍କ ପରିବାର l ୧୪ ବର୍ଷର ନାବାଳିକା ଝିଅ ମଜୁରି ଲାଗି ଯାହା ଆଣନ୍ତି ସେଥିରେ ପରିବାର ଚଳେ। ସରକାରୀ ସହାୟତା ରୂପେ ତାଙ୍କ ପରିବାରକୁ ଅନ୍ତ୍ୟୋଦୟ ଯୋଜନାରେ ମିଳୁଛି ୩୫ କେଜି ଚାଉଳ। ମୁଣ୍ଡ ଗୁଞ୍ଜିବା ପାଇଁ ଭଲ ଘରଟିଏ ନାହିଁ କି ଏଯାଏ ଲକ୍ଷ୍ମୀଙ୍କୁ ମିଳିନି ବିଧବା ଭତ୍ତା। ୮୦ ପ୍ରତିଶତ ପ୍ରମାଣପତ୍ର ଥିଲେ ସୁଦ୍ଧା ଗୋକୁଳଙ୍କୁ ମିଳିନି ଭିନ୍ନକ୍ଷମ ଭତ୍ତା। ଭତ୍ତା ପାଇଁ ଅନେକ ଥର ଆବେଦନ କରି ନିରାଶ ହୋଇଛନ୍ତି ଲକ୍ଷ୍ମୀ। ଏପରି ସ୍ଥଳେ ସ୍ବେଚ୍ଛାସେବୀ ସଙ୍ଗଠନ ସାଥୀ ଲକ୍ଷ୍ମୀଙ୍କୁ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଛି। ଆମେ ସବୁ ସମୟରେ ତୁମ ଅସୁବିଧା, ସମସ୍ୟାରେ ସହାୟତା ଯୋଗାଇ ଦେବୁ ବୋଲି ଲକ୍ଷ୍ମୀଙ୍କୁ ଆଶ୍ୱାସନା ଦେଇଛନ୍ତି ସାଥୀର କର୍ମକର୍ତ୍ତା ସଭାପତି ଚନ୍ଦ୍ରଶେଖର ରଥ, ସ୍ବରୂପ ଦାସ, ସୁଧୀର ବେହେରା ଓ ଗୋପାଳ ସାବତ। ବ୍ଲକଠାରୁ ମାତ୍ର ଗୋଟିଏ କି.ମି. ଦୂର ଏହି ଗ୍ରାମରେ ୭ ବର୍ଷ ହେଲା ଜଣେ ମାନସିକ ଭିନ୍ନକ୍ଷମ ପିଲା ରଶିରେ ବନ୍ଧା ହୋଇ ରହିବା ଏବଂ ତାଙ୍କୁ ପ୍ରଶାସନ ପକ୍ଷରୁ ଏଯାବତ୍‌ କୌଣସି ସହାୟତା ନ ମିଳିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ତୁରନ୍ତ ପ୍ରଶାସନ ଏହି ପରିବାରକୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।