ନରେଶ ଚନ୍ଦ୍ର ପଟ୍ଟନାୟକ
କେନ୍ଦୁଝର, ୬ା୮
ଖଣିଜସମ୍ପଦ ଭରା କେନ୍ଦୁଝର ଜିଲା ମୁଖ୍ୟାଳୟରେ ଦେଶର ଭବିଷ୍ୟତ କୁହାଯାଉଥିବା ଶିଶୁ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଦୁଇ ମୁଠା ଖାଇବା ପାଇଁ ମଇଳା ଆବର୍ଜନା, ଭଙ୍ଗା ଲୁହା, ଟିଣ, ଜରି ଆଦି ସଂଗ୍ରହ କରି ବିକ୍ରି କରୁଛନ୍ତି। ଥକ୍କା ବା ଭୋକ ଲାଗିଲେ ଡେନଡ୍ରାଇଟ ଅଠା ଖାଉଛନ୍ତି ା ପରିବାର ଠିକଣା କାହା ପାଖରେ ନାହିଁ। ରାତିରେ ନିଦ ଲାଗିଲେ ରାସ୍ତା କଡରେ ଫୁଟପାଥ କିମ୍ବା ଦୋକାନ ବାରଣ୍ଡାରେ ଶୋଉଛନ୍ତି। ମଶାମାଛିଙ୍କ ଉପଦ୍ରବର ଭୟନାହିଁ ଏବଂ ଅନେକ ସମୟରେ ବୁଲା କୁକୁରଙ୍କ ସହିତ ଶୋଇବାକୁ ପଡୁଛି। ଅନେକ ସମୟରେ ଦୋକାନୀ ଘଉଡ଼ାଇ ଦେଉଛନ୍ତି। ମଇଳା ଓ ଛିଣ୍ଡା ପୋଷାକ ପିନ୍ଧି ଏଭଳି ବହୁ ଶିଶୁ ବୁଲୁଥିଲେ ହେଁ ସେମାନଙ୍କ ପ୍ରତି ପ୍ରଶାସନର ନିଘା ନାହିଁ ା
ଲୋକ ମାନେ ସେମାନଙ୍କୁ ବିଭିନ୍ନ ପ୍ରକାରର କାମ କରାଇ କିଛି ପଇସା ହାତରେ ଧରାଇ ଦେଇଥାନ୍ତି। ଶିଶୁ ଶ୍ରମିକ ଭାବେ ଅସ୍ବାସ୍ଥ୍ୟକର ପରିବେଶରେ କାମ କରୁଛନ୍ତି ା ଯାହାକୁ ନେଇ ଅନେକ ସମୟରେ ଶିଶୁ ଅଧିକାର କର୍ମୀମାନେ ମଧ୍ୟ ସ୍ବର ଉତ୍ତୋଳନ କରୁ ନ ଥିବାରୁ ସେମାନଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଥିବା ଆଲୋଚନା ହେଉଛି ା ସେହିପରି ନେତା, ମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ପଦାଧିକାରୀ ତଥା ବିଭିନ୍ନ ବିଭାଗର ଅଧିକାରୀମାନେ ଜାଣିଥିଲେ ହେଁ ଦୀର୍ଘ ବହୁ ବର୍ଷ ହେଲା ଏଭଳି ଶିଶୁ ମାନଙ୍କୁ ସୁରକ୍ଷା ଓ ଥଇଥାନ ପ୍ରତି ଦାୟିତ୍ୱ ଏହି ପିଲାଙ୍କ ଅବସ୍ଥାକୁ ଦେଖିଲେ ବେଶ ଅନୁମାନ କରିହେବ। ମଇଳା ଆବର୍ଜନା ଓ ଅସ୍ବାସ୍ଥ୍ୟକର ପରିବେଶରେ ରହୁଥିବାରୁ ରୋଗବ୍ୟାଧିରେ ପଡି ଋଗଣ ହୋଇ ପଡୁଛନ୍ତି ଏବଂ ପୁଷ୍ଟିହୀନତାର ଶିକାର ହେଉଛନ୍ତି। ଅନେକ ସମୟରେ କୁସଙ୍ଗରେ ପଡି ଗୁଟ୍ଖା, ମାଦକ ଦ୍ରବ୍ୟ ଆଦି ଖାଇବା ସହ ଚୋରି ଭଳି ଅସମାଜିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି। ଯେଉଁ ବୟସରେ ପରିଷ୍କାର ପରିଚ୍ଛନ୍ନତା, ପାଠ ପଢିବା, ଖେଳ କୁଦ କରିବା ଜରୁରୀ ସେ ବୟସରେ ସେମାନେ ସମାଜର ମୁଖ୍ୟସ୍ରୋତରୁ ଦୂରେଇ ଯାଇ ଏକ ଭିନ୍ନ ପରିବେଶରେ ଅନିଶ୍ଚିତତା ଭବିଷ୍ୟତ ମଧ୍ୟରେ ବଢୁଥିବାରୁ ଅନେକ ଚିନ୍ତାବ୍ୟକ୍ତ କରୁଛନ୍ତି ା ଶିଶୁ ମାନଙ୍କ ସୁରକ୍ଷା, ଯତ୍ନ, ବିକାଶ ପାଇଁ ବିଭିନ୍ନ ବିଭାଗ ରହିଥିବା ବେଳେ ସେମାନଙ୍କ ଥଇଥାନ ଚିନ୍ତା ପ୍ରଶାସନ କରିବା ପାଇଁ ଦାବି ହେଉଛି।