ପାଟଣା ,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ ଅନ୍ତର୍ଗତ ସିଲିପଦା ଗ୍ରାମରେ ସରପଞ୍ଚ ଜୟନ୍ତୀ ମୁଣ୍ଡାଙ୍କ ନେତୃତ୍ୱରେ ରବିବାର ଶତାଧିକ ମହିଳା ଗ୍ରାମରୁ ମଦ ଉଚ୍ଛେଦ ପାଇଁ ଏକ ରାଲି କରିବା ସହିତ ମଦ ବେପାରୀଙ୍କ ଘରୁ ମଦ ଜବଦ କରି ନଷ୍ଟ କରି ଦେଇଥିଲେ । ରବିବାର ରାତିରେ ଉଦୟପୁର କୁକୁଡ଼ିଆ ସାହିର ଯଦୁମଣି ମହାନ୍ତ ନିଜ ଘରୁ କିଛି ବାଟରେ ଏକ ବିଲରେ ମଦ ବିକ୍ରି କରୁଥିବା ସମୟରେ ଗ୍ରାମର କିଛି ମହିଳା ମଦ ବୋତଲ ଗୁଡିକୁ ଜବଦ କରିବା ସମୟରେ ଏକ ବିୟର ବୋତଲରେ ଯଦୁମଣି ମହାନ୍ତ ସୁକାନ୍ତି ପାତ୍ର ନାମକ ଜଣେ ଏସ୍ଏଚ୍ଜି ମହିଳାଙ୍କ ମୁଣ୍ଡକୁ ମାଡ ମାରିଥିଲେ। ଫଳରେ ସୁକାନ୍ତି ରକ୍ତାକ୍ତ ହୋଇଥିଲେ। ଏଥି ସହ ଯଦୁମଣି ତାଙ୍କ ବାପା ଦୁହେଁ ମିଶି ମହିଳା ମାନଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ। ଏ ନେଇ ଅନ୍ୟ ମହିଳାମାନେ ପାଟଣା ଥାନାକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ସୁକାନ୍ତିଙ୍କୁ ଉଦ୍ଧାର କରି ଡାକ୍ତର ଖାନାକୁ ନେଇ ଚିକିତ୍ସା କରିଥିଲେ । ଏ ନେଇ ସୁକାନ୍ତି ପାଟଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ ନଂ୭୦/୨୫ ରେ ଏକ ମାମଲା ରୁଜୁକରିଛି। ସୋମବାର ମଧ୍ୟ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଛି। ଅଭିଯୁକ୍ତଙ୍କୁ ପୋଲିସ ଜାମିନରେ ଛାଡି ଦେବାରୁ ଅସନ୍ତୋଷ ପ୍ରକାଶ ପାଇଛି।