ବସ୍ତା,୧୩।୫(ଡି ଏନ ଏ ): ବସ୍ତା ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଶତାଧିକ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ଉପସ୍ଥିତ ହୋଇ ସିଡିପିଓଙ୍କ କାର୍ଯ୍ୟାଳୟକୁ ତାଲା ପକାଇବା ସହିତ ସିଡିପିଓଙ୍କ ବଦଳି ଦାବି କରି ବିକ୍ଷୋଭ କରିଥିଲେ। ଫଳରେ କାର୍ଯ୍ୟାଳୟ ଭିତରେ ୪ଜଣ କର୍ମଚାରୀ ୬ ଘଣ୍ଟା ଧରି ଅଟକ ରହିଥିଲେ।
ସୂଚନା ଅନୁଯାୟୀ ବସ୍ତା ସିଡିପିଓ ଦିପ୍ତିରାଣୀ ସିଂ ମନମୁଖୀ ଭାବେ ସ୍ବୟଂ ସହାୟକ ଗୋଷ୍ଠୀ, ଜିପିଏଲ୍ଏଫ ଲିଡର, ବିଏଲ୍ଏଫ ସଭାପତି, ସମ୍ପାଦକ, ଇସି ମେମ୍ବର, ସିରାପି, ଏମ଼ବିକେ, ବ୍ୟାଙ୍କ ମିତ୍ର, ମନୋନୟନ କମିଟି ମେମ୍ବରମାନଙ୍କ ବିରୋଧରେ ବିଭିନ୍ନ ପ୍ରକାରର କଟୁ ମନ୍ତବ୍ୟ ଦେବା, ସେମାନଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଇବା, ବିଭିନ୍ନ ସମୟରେ ଧମକ ଦେବା, ସ୍ବାମୀଙ୍କ ମାଧ୍ୟମରେ ସେମାନଙ୍କଠାରୁ ଅର୍ଥ ଶୋଷଣ କରିବା ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବିଭିନ୍ନ ପ୍ରକାର ମିଥ୍ୟା ଅଭିଯୋଗ କରିଥାନ୍ତି। ସିଡିପିଓଙ୍କ ସ୍ବାମୀ ସବୁ ସମୟରେ କାର୍ଯ୍ୟାଳୟରେ ଉପସ୍ଥିତ ରହି କାଗଜପତ୍ର କାମ କରନ୍ତି ଏବଂ ଏସବୁ ସଂଘ ଓ ଉପରୋକ୍ତ ବିଭିନ୍ନ ବିଭାଗର ମହିଳା ମାନଙ୍କ ଜାଲିଆତି ଦସ୍ତଖତ କରି ସେମାନଙ୍କୁ ହଇରାଣ କରନ୍ତି। ତେଣୁ ଏହାର ପ୍ରତିବାଦରେ ବ୍ଲକର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନେ ଯୋଗଦେଇ ସିଡିପିଓ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ନାରାବାଜି କରିବା ସହିତ ତାଙ୍କୁ ବଦଳି ଦାବି କରି କାର୍ଯ୍ୟାଳୟକୁ ତାଲା ପକାଇ ଦେଇଥିଲେ। ଫଳରେ କାର୍ଯ୍ୟାଳୟ ଭିତରେ ୪ଜଣ କର୍ମଚାରୀ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅଟକ ରହିଥିଲେ। ତେବେ ଘଟଣାସ୍ଥଳରେ ବସ୍ତା ପୋଲିସ, ପଞ୍ଚୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀଧର ଦାସ, ଜିଲା ପରିଷଦ ବିଷ୍ଣୁପ୍ରିୟା ବୁଗୁଡି ଏବଂ କୁଡିଆ ପଞ୍ଚାୟତର ସମିତି ସଭ୍ୟ ଜୟପ୍ରକାଶ ନାରାୟଣ ବେହେରା ପହଞ୍ଚି ବୁଝାଶୁଝା କରିବା ପରେ ଉକ୍ତ ୪ଜଣ କର୍ମଚାରୀଙ୍କୁ ଛାଡିଥିଲେ। ତେବେ ସିଡିପିଓ ଦୀପ୍ତିରାଣୀ ପଚାରିବାରୁ ଏସବୁ ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି।