ରଥଯାତ୍ରା ପାଇଁ କେନ୍ଦୁଝରରେ ପହଞ୍ଚିଲା ଶିଆଳି ଲତାର ରଥ ଦଉଡ଼ି

କେନ୍ଦୁଝର,୧୪ା୬(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲାର ଆରାଧ୍ୟଦେବ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି। ବିଶ୍ୱର ସର୍ବୋଚ୍ଚ ମାନ୍ୟତା ପାଇଥିବା କେନ୍ଦୁଝରର ଏହି ରଥକୁ ଟାଣିବା ପାଇଁ ପାରମ୍ପରିକ ଭାବେ ଶିଆଳି ଲତାରେ ପ୍ରସ୍ତୁତ ଦଉଡ଼ି ବ୍ୟବହାର ହୋଇଥାଏ। ଏହାକୁ ବିଶେଷକରି ବଣପାହାଡ଼ ଘେରା ଅଞ୍ଚଳରେ ରହୁଥିବା ଭୂୟାଁ ସମ୍ପ୍ରଦାୟର ଲୋକମାନେ ପ୍ରସ୍ତୁତ କରି ଦେଇଥାନ୍ତି। ଏହି ଦଉଡ଼ି ବହୁ କାଳରୁ ଦେଇ ଆସୁଛନ୍ତି। ଏହି ପରମ୍ପରା ରାଜା ରାଜୁଡ଼ା ଅମଳରୁ ପାଳିତ ହୋଇ ଆସୁଛି। ଏଭଳି ତିନୋଟି ଦଉଡ଼ି ବାଂଶପାଳ ବ୍ଲକ ଦଂଅଳା ଗ୍ରାମରୁ ଏକ ଶୋଭାଯାତ୍ରାରେ ବୁହା ହୋଇ ଶ୍ରୀଜୀଉ ମନ୍ଦିରରେ ଆସି ପହଞ୍ଚିଛି। ବଣ ଜଙ୍ଗଲରୁ ଶିଆଳି ଲତାକୁ ସଂଗ୍ରହ କରି ଭୂୟାଁ ଜନଜାତିମାନେ ଦୀର୍ଘଦିନ ଧରି ହାତରେ ବଳି ପ୍ରସ୍ତୁତ କରିଥାନ୍ତି। ଏହା ବହୁ ଶକ୍ତ ଏବଂ ସହଜରେ ଛିଣ୍ଡି ନ ଥାଏ। ଆଗରୁ କେବଳ ଶିଆଳି ଦଉଡ଼ିରେ ରଥଟଣା ହୋଇ ଆସୁଥିଲା। ଆଜି କାଲି ନଡ଼ିଆକତା, ପ୍ଲାଷ୍ଟିକ ଦଉଡ଼ିର ବ୍ୟବହାର ହେଉଥିଲେ ହେଁ ପରମ୍ପରା ରକ୍ଷା ପାଇଁ କିଛି ଶିଆଳି ଦଉଡ଼ିର ବ୍ୟବହାର ହେଉଛି। ଅନ୍ୟପକ୍ଷରେ ଜଙ୍ଗଲର ଅବକ୍ଷୟ ଯୋଗୁ ଶିଆଳି ଗଛ ଲୋପ ପାଇବାକୁ ବସିଥିବାରୁ ବଣ ଜଙ୍ଗଲରେ ବହୁ କମ୍‌ ମିଳୁଛି। ଏଣୁ ଏହାର ସୁରକ୍ଷା ଜରୁରୀ ବୋଲି ମତ ପ୍ରକାଶ ପାଇଛି।