Categories: ଖେଳ

ଶେଷରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଧାଓ୍ବନ୍‌

ନୂଆଦିଲ୍ଲୀ,୫।୧୦: କ୍ରିକେଟର ଶିଖର ଧାୱନ ସ୍ତ୍ରୀ ଆୟେଶା ମୁଖାର୍ଜୀଙ୍କୁ ଶେଷରେ ଛାଡପତ୍ର ଦେଇଛନ୍ତି। ଦିଲ୍ଲୀର ପଟିଆଲା ହାଉସର ଏକ ପରିବାର କୋର୍ଟ ଶିଖର ଧାୱନଙ୍କ ଛାଡପତ୍ରକୁ ଅନୁମୋଦନ କରିଛନ୍ତି। କିଛି ମୁଖ୍ୟ କାରଣରୁ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ଏଥିମଧ୍ୟରୁ ସବୁଠାରୁ ବଡ କଥା ହେଲା ଯେ, ଆୟେଶା ଧାୱନଙ୍କୁ ମାନସିକ ଯନ୍ତ୍ରଣା ଦେଇ ତାଙ୍କୁ ଏକମାତ୍ର ପୁଅଠାରୁ ବର୍ଷ ବର୍ଷ ଧରି ଅଲଗା ରହିବାକୁ ବାଧ୍ୟ କରିଥିଲେ।
ତାଙ୍କ ଛାଡପତ୍ର ଆବେଦନରେ ଶିଖର ଧାୱନ କହିଥିଲେ ଯେ, ତାଙ୍କ ପତ୍ନୀ ତାଙ୍କୁ ମାନସିକ ନିର୍ଯାତନା ଦେଇଛନ୍ତି। ଫ୍ୟାମିଲି କୋର୍ଟର ଜଜ ହରିଶ କୁମାର ଏହି ଅଭିଯୋଗକୁ ସତ୍ୟ ବୋଲି ଗ୍ରହଣ କରିଛନ୍ତି। ବିଚାରପତି ତାଙ୍କ ଆଦେଶରେ କହିଛନ୍ତି ଯେ, ଧାୱନଙ୍କ ସ୍ତ୍ରୀ ଉପରୋକ୍ତ ଅଭିଯୋଗକୁ ବିରୋଧ କରିନାହାଁନ୍ତି କିମ୍ବା ନିଜକୁ ରକ୍ଷା କରିବାରେ ବିଫଳ ହୋଇଛନ୍ତି।
ଧାୱନ ଏବଂ ଆୟେଶାଙ୍କ ପୁଅ ଜୋରାୱାରଙ୍କ କଷ୍ଟଡି ସମ୍ପର୍କରେ କୋର୍ଟ କୌଣସି ଆଦେଶ ଦେଇନାହାଁନ୍ତି। ତେବେ କୋର୍ଟ ଧୱନଙ୍କୁ ତାଙ୍କ ପୁଅଙ୍କୁ ଭେଟିବା ଏବଂ ଭିଡିଓ କଲ ମାଧ୍ୟମରେ ତାଙ୍କ ସହ କଥାବାର୍ତ୍ତା କରିବାର ଅଧିକାର ଦେଇଛନ୍ତି। ଜୋରାୱାରଙ୍କୁ ତାଙ୍କ ସ୍କୁଲ ଛୁଟିଦିନରେ ଅତିକମରେ ଧାୱନ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ବିତାଇବାକୁ ଅନୁମତି ଦେବାକୁ କୋର୍ଟ ଆୟେଶାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଆବେଦନକାରୀ ଶିଖର ଧାୱନ ଜଣେ ନାଗରିକ ତଥା ଦାୟିତ୍ୱବାନ ପିତା ଭାବରେ ତାଙ୍କ ପୁଅଙ୍କୁ ଭେଟିବା ଏବଂ ତାଙ୍କ ସହ କିଛି ସମୟ ରହିବାର ଅଧିକାର ରହିଛି।
ତ୍‌ଶିଖର ଧାୱନ ପ୍ରଥମ ଥର ପାଇଁ ହରଭଜନ ସିଂଙ୍କ ଫେସବୁକ ବନ୍ଧୁ ତାଲିକାରେ ଆୟେଶାଙ୍କୁ ଦେଖିଥିଲେ। ଆୟେଶାଙ୍କ ଫଟୋ ଦେଖିବା ମାତ୍ରେ ସେ ପ୍ରେମରେ ପଡ଼ିଗଲେ। ଏହା ପରେ ଶିଖର ଆୟେଶାଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଲେ ଏବଂ ତା’ପରେ ସେମାନଙ୍କ ସମ୍ପର୍କ ଆରମ୍ଭ ହେଲା। ଶିଖର ଆୟେଶାଙ୍କଠାରୁ ପ୍ରାୟ ୧୦ ବର୍ଷ ସାନ। ଦୀର୍ଘ ସମୟ ଧରି ଏକାଠି ରହିବା ପରେ ଦୁହେଁ ୨୦୧୨ରେ ବିବାହ କରିଥିଲେ। ଏହା ଆୟେଶାଙ୍କର ଦ୍ୱିତୀୟ ବିବାହ ଥିଲା।

Share