Categories: ଖେଳ

ପୁଅଙ୍କ ଜନ୍ମଦିନରେ ଭାବୁକ ହେଲେ ଧାଓ୍ବନ: କହିଲେ-ସବୁଠୁ ମୋତେ ବ୍ଲକ୍‌ କରାଯାଇଛି, ବର୍ଷେ ହେଲାଣି ତୁମକୁ…

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଓପନର୍‌ ଶିଖର ଧାଓ୍ବନ ମଙ୍ଗଳବାର ପୁଅ ଜୋରାବରଙ୍କ ଜନ୍ମଦିନରେ ଭାବୁକ ହୋଇଛନ୍ତି। ସ୍ତ୍ରୀ ଆୟେଶା ମୁଖାର୍ଜୀଙ୍କଠାରୁ ଅଲଗା ହୋଇଥିବା ବେଳେ ତାଙ୍କୁ ସବୁଆଡୁ ବ୍ଲକ୍‌ କରିଦିଆଯାଇଛି। ଏଣୁ ସେ ପିଲାମାନଙ୍କ ସହ କଥା ହୋଇପାରୁ ନ ଥିବା ଏକ ପୋଷ୍ଟ କରି ସେ ଜଣାଇଛନ୍ତି।

ଇନଷ୍ଟାଗ୍ରାମରେ ଧାଓ୍ବନ ପୁଅଙ୍କ ସହ ଭିଡିଓ କଲ ବେଳର ସ୍କ୍ରିନଶଟ୍‌ ଶେୟାର କରି ଲେଖିଛନ୍ତି, ‘ତୁମକୁ ବ୍ୟକ୍ତିଗତ ଭାବେ ଦେଖିବାର ବର୍ଷେ ହୋଇଗଲାଣି। ଏବେ ପ୍ରାୟ ୩ ମାସ ହେଲାଣି ମୋତେ ସବୁସ୍ଥାନରୁ ବ୍ଲକ କରିଦିଆଯାଇଛି। ଏଣୁ ତୁମକୁ ଜନ୍ମଦିନର ଶୁଭକାମନା ଦେବା ଲାଗି ପୁରୁଣା ଫଟୋ ବ୍ୟବହାର କରୁଛି। ପ୍ରତ୍ୟକ୍ଷ ଭାବେ ତୁମ ସହ ଯୋଡ଼ି ହୋଇ ନ ପାରିଲେ କ’ଣ ହେଲା, ଟେଲିପାଥି ମାଧ୍ୟମରେ ଯୋଡ଼ି ହେଉଛି। ମୁଁ ତୁମକୁ ନେଇ ଗର୍ବ କରେ। ମୁଁ ଜାଣେ ତୁମେ ବହୁତ ଭଲ କରୁଛ। ଭଲରେ ବଡ଼ ହେଉଛ। ବାପା ତୁମକୁ ସବୁବେଳେ ମନେ ପକାଉ୍‌ଛନ୍ତି। ସେ ତୁମକୁ ଭଲ ପାଆନ୍ତି। ଭଗବାନଙ୍କ କୃପାରୁ ପୁଣିଥରେ ଯେବେ ତୁମକୁ ଭେଟିବେ ସେ ଦିନକୁ ଅପେକ୍ଷା କରି ରହିଛନ୍ତି। ନ ଦେଖିଲେ ବି ସବୁବେଳେ ତୁମକୁ ମେସେଜ ପଠାଉଛି, ତୁମ ବିଷୟରେ ପଚାରୁଛି, ମୁଁ କ’ଣ କରୁଛି ଏବଂ ମୋ’ ଜୀବନରେ କ’ଣ ନୂଆ ହେଉଛି ତାହା କହୁଛି। ’

କହିରଖୁଛୁ, ଅକ୍ଟୋବରରେ ଶିଖର-ଆୟେଶାଙ୍କ ମଧ୍ୟରେ ଛାଡ଼ପତ୍ର ହୋଇସାରିଛି। ଦିଲ୍ଲୀର ଏକ କୋର୍ଟ ପୁଅଙ୍କ ଦେଖାଶୁଣା ଆୟେଶାଙ୍କୁ ଦେଇଛନ୍ତି। ହେଲେ ତାଙ୍କୁ ଏକ ନିର୍ଦ୍ଧାରିତ ସମୟ ଲାଗି ପୁଅ ଜୋରାବରଙ୍କୁ ଭେଟିବାକୁ ଅନୁମତି ରହିଛି। ହେଲେ ଧାଓ୍ବନ ତାହା କରିବାରେ ଅସମର୍ଥ ହୋଇଥିଲେ।

Share