Categories: ଖେଳ

ଅଧିନାୟକ ପଦ ଚାଲିଯିବାକୁ ନେଇ ଏପରି କହିଲେ ଧାଓ୍ବନ

ନୂଆଦିଲ୍ଲୀ,୧୭।୮: ଜିମ୍ବାଓ୍ବେ ବିପକ୍ଷରେ ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଏହାକୁ ନେଇ ଭାରତର ଗସ୍ତ ପୂର୍ବରୁ ବିସିସିଆଇ ଅଧିନାୟକ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଇଥିଲା। ଶିଖର ଧାଓ୍ବନଙ୍କ ସ୍ଥାନରେ କେ.ଏଲ୍‌. ରାହୁଲଙ୍କୁ ନେତୃତ୍ୱ ଦିଆଯାଇଥିଲା। ହେଲେ ସଫଳତାକୁ ଦେଖିଲେ ଧାଓ୍ବନଙ୍କ ଅଧିନାୟକତ୍ୱରେ ଭାରତ ଭଲ ପ୍ରଦର୍ଶନ କରିଆସିଛି। ଏମିତିରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା।

ନିକଟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଧାଓ୍ବନ ଅଧିନାୟକ ପଦ ଚାଲିଯିବା ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋତେ ଟିମ୍‌ର ଯୁବ ଖେଳାଳିଙ୍କ ସହ ନିଜ ଅଭିଜ୍ଞତା ବାଣ୍ଟିବାକୁ ଖୁସି ଲାଗେ। ପ୍ରଥମେ ମୁଁ ୨୦୧୪ରେ ପ୍ରଥମ ଥର ପାଇଁ ଜିମ୍ବାଓ୍ବେ ଆସିଥିଲି। ସେତେବେଳେ ଡଙ୍କନ ଫ୍ଲେଟର୍‌ ଭାରତର କୋଚ୍‌ ଥିଲେ। ଏବେ ଯଦି ଯୁବ ଖେଳାଳି ମାନେ କୌଣସି ପରାମର୍ଶ ପାଇଁ ମୋ ପାଖକୁ ଆସନ୍ତି ତେବେ ମୁଁ ଉପଅଧିନାୟକ ଭାବେ ସେମାନଙ୍କୁ ଉତ୍ତର ଦେବାକୁ ପ୍ରସ୍ତୁତ ଅଛି।
ସେହିଭଳି କେ.ଏଲ୍‌.ଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଧାଓ୍ବନ କହିଛନ୍ତି, ଏସିଆ କପ୍‌ ପୂର୍ବରୁ ମଇଦାନରେ ସମୟ ଅତିବାହିତ କରିବାକୁ ତାଙ୍କୁ ସୁଯୋଗ ମିଳିବ। ଖୁସିର କଥା ଯେ ସେ ଫେରିଛନ୍ତି ଏବଂ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି। ସେ ଭାରତୀୟ ଦଳର ଅନ୍ୟତମ ପ୍ରମୁଖ ଖେଳାଳି। ଏସିଆ କପ୍‌ ଆରମ୍ଭ ହେବା ପୂର୍ବରୁ ଏହା ତାଙ୍କ ପାଇଁ ଏକ ଭଲ ପ୍ରସ୍ତୁତି ରହିବ। ଏହି ଗସ୍ତରୁ ସେ ବହୁତ ଲାଭବାନ ହେବେ ବୋଲି ଆଶା ରଖିଥିବା ଧାଓ୍ବନ କହିଛନ୍ତି।

Share