ରାଜ୍‌ଙ୍କ ବାପା ଥିଲେ ବସ୍‌ କଣ୍ଡକ୍ଟର; ଫ୍ୟାକ୍ଟ୍ରିରେ କାମ କରୁଥିଲେ ମା’: ଶିଳ୍ପା

ବମ୍ବେ: ଅଶ୍ଳିଳ ଭିଡିଓ ନିର୍ମାଣ ମାମଲାରେ ଛନ୍ଦି ହୋଇ ଏବେ ହରଡଘଣାରେ ଫସିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ମଙ୍ଗଳବାର ତାଙ୍କୁ ଆଉ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଏଭଳି ସ୍ଥିତିରେ ସ୍ତ୍ରୀ ଶିଳ୍ପାଙ୍କ ଆଉ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଶିଳ୍ପା ରାଜ୍‌ଙ୍କ ସଂଘର୍ଷର ଦିନ ବିଷୟରେ କହୁଥିବା ଦେଖାଯାଇଛି।

ଫିଟ୍‌ଲୁକ୍‌ ମାଗାଜିନକୁ ଦେଇଥିବା ଏକ ସାକ୍ଷାତକାରର ଏହି ଭିଡିଓ। ରାଜଙ୍କ ବାପା ଲଣ୍ଡନରେ ଏକ ବସ୍‌ କଣ୍ଡକ୍ଟର ଥିଲେ। ମା’ ପଟନ୍‌ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ରାଜ୍‌ ୬ ମାସର ହୋଇଥିବା ବେଳେ ତାଙ୍କ ହାତରେ ବୋତଲ ଦେଇ ମା’ କାମକୁ ବାହାରି ଯାଉଥିଲେ। ସେଭଳି ସମୟରୁ ବାହାରି ସ୍ବାମୀ ଏତେ ଉଚ୍ଚରେ ପହଞ୍ଚିଛନ୍ତି ବୋଲି ଶିଳ୍ପା କହିଛନ୍ତି।

ତେବେ ସ୍ବାମୀ ଗିରଫ ହେବା ପରେ ସନ୍ଦେହ ଘେରକୁ ଆସିଛନ୍ତି ଶିଳ୍ପା। ସେ କିଛି ଜାଣି ନ ଥିବା କହୁଥିଲେ ହେଁ ଏହା କିଭଳି ସମ୍ଭବ ପ୍ରଶ୍ନ ଉଠୁଛି। ନିକଟରେ ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ସେ ହଟ୍‌ଶଟ୍ସ ଆପ୍‌ରେ ନିଜର କୌଣସି ସମ୍ପର୍କ ନ ଥିବା କହିଛନ୍ତି। ଏଥିସହ ଏରୋଟିକା, ପର୍ନ ନୁହେଁ ବୋଲି କହି ସ୍ବାମୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି। ଅପରପକ୍ଷେ ରାଜ୍‌ ସ୍ତ୍ରୀ ତାଙ୍କ ବ୍ୟବସାୟ ବିଷୟରେ ଜାଣି ନ ଥିବା କହିବା ସହ ତାଙ୍କୁ କିଛି ନ କହି ସେ ଏହି କାରବାର କରୁଥିବା ପୋଲିସକୁ କହିଛନ୍ତି। ଏହି ମାମଲା ଏବେ କେଉଁ ଦିଗକୁ ଯାଉଛି ତାହା ସମୟ କହିବ।

Share