ବାରିପଦା ଅଫିସ, ୫।୩: ସବୁଜ ବନାନୀରେ ଆଚ୍ଛାଦିତ ପ୍ରକୃତି ସୁନ୍ଦରୀ ଶିମିଳିପାଳ ଏବେ ନିଆଁ କବଳରେ। କ୍ରମାଗତ ମାସେ ହେଲା ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ନିଅଁା ଲାଗୁଥିବା ଦେଖିବାକୁ ମିଳୁଛି। ଶନିବାର ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ମିଳିଥିବା ସାଟେଲାଇଟ ତଥ୍ୟ ଅନୁଯାୟୀ ରାଜ୍ୟର ୫୬୭ଟି ସ୍ଥାନରେ ନିଆଁ ଲାଗିଛି। ଏଥିମଧ୍ୟରେ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ରେଞ୍ଜରେ ଥିବା ଶହେରୁ ଊର୍ଦ୍ଧ୍ୱ ସ୍ଥାନ ଜଳୁଥିବା ନଜରକୁ ଆସିଛି। ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ଟି. ଅଶୋକ କୁମାର, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦୁଇ ଉପନିର୍ଦ୍ଦେଶକ ଓ ୩ ବନଖଣ୍ଡ ଅଧିକାରୀ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ସେମାନଙ୍କୁ ବନବିଭାଗ କର୍ମଚାରୀ, ଦମକଳ ବାହିନୀ, ବନସୁରକ୍ଷା ସମିତି ଓ ଅଞ୍ଚଳବାସୀ ସହଯୋଗ କରୁଛନ୍ତି।
ସୂଚନା ଅନୁଯାୟୀ, ଶିମିଳିପାଳ ଜୈବମଣ୍ଡଳ ଅଧୀନରେ ଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର-ଦକ୍ଷିଣ ଡିଭିଜନ, ବାରିପଦା, ରାଇରଙ୍ଗପୁର ଓ କରଞ୍ଜିଆ ଡିଭିଜନରେ ନିଆଁ ବ୍ୟାପିବାରେ ଲାଗିଛି। ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳକୁ ନିଆଁ ପ୍ରବେଶ କରିସାରିଛି। ଏଥିସହ ମୟୂରଭଞ୍ଜ ଜିଲାର ଚାରିପଟେ ଥିବା ଜଙ୍ଗଲରେ ମଧ୍ୟ ବନାଗ୍ନି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ତାପମାତ୍ରା ବୃଦ୍ଧି ହେଉଥିବା ବେଳେ ନିଆଁ ଅଣାୟତ୍ତ ହୋଇପଡ଼ିଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ମଧ୍ୟରେ ଥିବା ମଣଦା, ଜାମୁଆଣି, ତମାଳବନ୍ଧ, ବୋକୁଆ, ଭାଟୁଣିଆ, ଆଶାଦଳା, ତାଳବନ୍ଧ, ବାଙ୍କିଡିହୀ, ନଟ, ବାଲିଡିହା, ଭାଟୁଣିଆ, ଡେଙ୍ଗାମ, ତାଳଡିହା, କାନଛିଣ୍ଡା, କୁସୁମବନ୍ଧ, ଭଣ୍ଡଗାଁ, ବାଉଁଶତାଳ, ଚମ୍ପାଗଡ଼, ତମାଳବନ୍ଧ, ପୋଡ଼ାଡ଼ହା, ବିଦୁଭଣ୍ଡାର, କାଳିଆଣି, ସାତକୋଶିଆ, ଚମ୍ପାଝର, କେଶଡିହା, ଶିରସା, କୁସୁମବନ୍ଧ, ମଞ୍ଚାବନ୍ଧା, ଦୁର୍ଗାପୁର, ଭାଲୁକଚୁଆ, ରାସଗୋବିନ୍ଦପୁର, ଅର୍ମଦା, ବାଦାମ ତଳିଆ, ଗୋରୁମହିଷାଣି, ଗେରଗେଡ଼ି, ତିରିଂ, ଝରାଡିହି ବାଦାମପାହାଡ଼, ବରେହିପାଣି ଆଦି ୧୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ନିଆଁ ଲାଗିଥିବା ଜଣାଯାଇଛି। ମାତ୍ର ଦୀର୍ଘଦିନ ଧରି ବର୍ଷା ହୋଇ ନ ଥିବାରୁ ଜଙ୍ଗଲର ଶୁଖିଲା କାଠପତ୍ର ହୁ ହୁ ହୋଇ ଜଳୁଛି। ଗୋଟିଏ ପାହାଡ଼ରୁ ଅନ୍ୟ ଏକ ପାହାଡ଼କୁ ବ୍ୟାପିବାରେ ଲାଗିଛି। ବନ୍ୟପ୍ରାଣୀମାନେ ପ୍ରାଣ ବିକଳରେ ଜନବସତିମୁହଁା ହେଉଛନ୍ତି। ଅନେକ ବନ୍ୟଜାତ ଦ୍ରବ୍ୟ ପୋଡ଼ି ପାଉଁଶ ହୋଇଯାଉଛି। ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବା ପାଇଁ କେବଳ ବର୍ଷା ହିଁ ଏକମାତ୍ର ଭରସା ବୋଲି କୁହାଯାଉଛି। ଶିମିଳିପାଳକୁ ବନାଗ୍ନିରୁ ସୁରକ୍ଷା ଯୋଗାଇ ଦିଆ ନ ଗଲେ ଜୀବଜଗତ ତିଷ୍ଠିବା କଷ୍ଟକର ହୋଇପଡ଼ିବ। ଏହାକୁ ରକ୍ଷା କରିବା ପାଇଁ ବିଭିନ୍ନ ସଙ୍ଗଠନ, ଅନୁଷ୍ଠାନ ଓ ସ୍ବେଚ୍ଛାସେବୀ ସଙ୍ଗଠନ ସହଯୋଗର ହାତ ବଢ଼ାଇବାକୁ ପଡ଼ିବ ବୋଲି ପରିବେଶବିତ୍ମାନେ ମତ ଦେଇଛନ୍ତି।