Categories: ଜାତୀୟ

କରୋନା ଗ୍ରାଫ୍‌ ଉପରମୁହାଁ: ଏହି ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଶିମଲା,୩୦।୭: ହିମାଚଳ ପ୍ରଦେଶରେ କରୋନା ଭାଇରସ୍‌ ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୩ଦିନ ଧରି ରାଜ୍ୟରେ ଲଗାତର ଭାବେ ୯ଶହରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବର୍ତ୍ତମାନ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସରକାରୀ, ଅଣ-ସରକାରୀ ଅନୁଷ୍ଠାନ, ହସ୍ପିଟାଲ ଓ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଇନ୍‌ଡୋର କିମ୍ବା ଆଉଟଡୋରରେ ହେଉଥିବା କାର୍ଯ୍ୟକ୍ରମରେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏତଦ୍‌ ବ୍ୟତୀତ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ବିନା ମାସ୍କରେ ହିମାଚଳରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଶିକ୍ଷା ବିଭାଗ ପକ୍ଷରୁ କଡା ନିର୍ଦ୍ଦେଶ ଜାରି କରାଯାଇଛି। ବିଦ୍ୟାଳୟର ଛାତ୍ରମାନଙ୍କୁ କରୋନାରୁ ପ୍ରତିରୋଧର ପଦ୍ଧତି ବିଷୟରେ ଅବଗତ କରାଯିବ। ଏଥିସହ ଯେଉଁମାନଙ୍କର ଥଣ୍ଡା, କାଶ ଓ ଜ୍ୱର ଭଳି ସମସ୍ୟା ରହିଛି ସେହି ଛାତ୍ରମାନେ ସମ୍ପୂର୍ଣ୍ଣ ଆରୋଗ୍ୟ ନ ହେବା ପର୍ଯ୍ୟନ୍ତ ବିଦ୍ୟାଳୟକୁ ଆସିପାରିବେ ବୋଲି ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡକ୍ଟର ଅମରଜିତ କୁମାର ଶର୍ମା କହିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ରାଜ୍ୟରେ ୯୩୦ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂଆ ଆକ୍ରାନ୍ତଙ୍କ ଚିହ୍ନଟ ହେବା ପରେ ସକ୍ରିୟ ମାମଲା ୫୩୯୧ରେ ପହଞ୍ଚିଥିବା ବେଳେ ୭୭୭ଜଣ ସୁସ୍ଥ ହୋଇଛନ୍ତି।

Share