Categories: ଜାତୀୟ

ଶିନ୍ଦେ ଗୋଷ୍ଠୀ ନେତାଙ୍କ ବିବାଦୀୟ ବୟାନ, ଅଜିତ ପାଓ୍ବାରଙ୍କ ପାଖରେ ବସିଲେ ମୋତେ ବାନ୍ତି ଲାଗେ…

ମୁମ୍ବାଇ,୩୦।୮: ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ମହାରାଷ୍ଟ୍ର ରାଜନୀତି ସରଗରମ ରହିଛି। ମହାୟୁତି ବିଧାନସଭା ନିର୍ବାଚନକୁ ନେଇ ଅଣ୍ଟା ଭିଡିଥିବାବେଳେ ଅଜିତ ପାଓ୍ବାରଙ୍କ କିଛି ବୟାନ ଏବେ ମେଣ୍ଟର ମୁଣ୍ଡବିନ୍ଧାର କାରଣ ସାଜିଛି। ଅଜିତଙ୍କ ଦଳ ବିରୋଧୀ ବୟାନ ଏବେ ଭାଜପାର ଟେନଶନ ବଢାଇଛି। ଗୁରୁବାର ଅଜିତ ପାଓ୍ବାର ଛତ୍ରପତି ଶିବାଜୀଙ୍କ ମୂର୍ତ୍ତି ଭାଙ୍ଗିବା ଘଟଣାରେ ମୌନ ବିରୋଧ ପ୍ରଦର୍ଶନ କରିଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ଏପରିକି ଦଳର ଅନ୍ତଃ କନ୍ଦଳ ପଦାରେ ପଡିଥିଲା।

ତେବେ ଶୁକବ୍ରାର ଏକନାଥ ଶିନ୍ଦେଙ୍କ ଗୋଷ୍ଠୀ ଶିବସେନାର ଜଣେ ନେତା ଏପରି କିଛି ବୟାନ ନେଇଛନ୍ତି ଯାହା ପୁରା ମହାୟୁତି ମେଣ୍ଟରେ କମ୍ପନ ସୃଷ୍ଟି ହୋଇଛି। ଶିବସେନା ନେତା ତାନାଜୀ ସାଓ୍ବନ୍ତ କହିଛନ୍ତି, ଅଜିତଙ୍କ ପାଖରେ ବସିଲେ ମୋତେ ବାନ୍ତି ଲାଗେ।
ସାଓ୍ବନ୍ତ ଏପରି କିଛି ବିବାଦୀୟ ବୟାନ ଦେଇଛନ୍ତି ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି। ସେ କହିଛନ୍ତି, ମୁଁ କେବେ ଏନସିପି ସହ ସହମତି ନ ଥିଲି। ଏନସିପି କୋଳରେ କିମ୍ବା ପାଖରେ ବସିଲେ ମୋତେ ବାନ୍ତି ଲାଗେ। ସେ ଏପରି ବୟାନ ଦେଇ ଏନସିପି ସହ ତାଙ୍କ ସମ୍ପର୍କକୁ ଖୋଲାଖୋଲି ପଦାରେ ପକାଇଛନ୍ତି।

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ମୁଁ ଜଣେ ଶିବ ସୈନିକ ଅଟେ। ଆମ ଜୀବନକାଳ ମଧ୍ୟରେ ଆମେ କେବେ ବି କଂଗ୍ରେସ କି ଏନସିପି ସହ ମେଣ୍ଟ କରିନାହୁଁ। ଏହା ଆଲର୍ଜି ପ୍ରଭାବ ଭଳି ଲାଗେ। ଯାହାଦ୍ୱାରା ନିଜକୁ ଅସହଜ କିମ୍ବା ବାନ୍ତି କଲାଭଳି ପ୍ରତୀତ ହୁଏ। ଆମ ବିଚାରଧାରା ସମ୍ପୂର୍ଣ୍ଣ ଭିନ୍ନ ତେଣୁ ସେମାନଙ୍କ ସହ ମେଣ୍ଟ କରିବା ସମ୍ଭବ ହୁଏନାହିଁ।

ସେ ଆହୁରି କହିଛନ୍ତି, ଯେତେବେଳେ କ୍ୟାବିନେଟ ବୈଠକ ହୁଏ, ସରିବା ପରେ ମୁଁ ତୁରନ୍ତ ବାହାରକୁ ଆସିଯାଏ କାରଣ ମୋତେ ବାନ୍ତି ଲାଗେ। ବାନ୍ତି ଏମିତି ଲାଗେ ବରଦାସ୍ତ କରିପାରେନି। ତେବେ ସାଓ୍ବନ୍ତଙ୍କ ଏହି ଟିପ୍ପଣୀ ଏବେ ମହାୟୁତିରେ ଝଡ ସୃଷ୍ଟି କରିଛି।

Share