Categories: ଜାତୀୟ

ଶିନ୍ଦେ ମୁଖ୍ୟମନ୍ତ୍ରୀ ପଦରେ ରହିବେ: ଭାଜପା…

ମୁମ୍ବାଇ,୧୯।୮ : ନିକଟରେ ମହାରାଷ୍ଟ୍ର ରାଜନୀତିରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅଜିତ ପାୱାର ଶିନ୍ଦେ ଗୋଷ୍ଠୀରେ ଯୋଗଦେବା ଶରଦ ପାୱାରଙ୍କ ପାଇଁ ଏକ ବଡ଼ ଝଟକା ଥିଲା। କିନ୍ତୁ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ସାକ୍ଷାତ ମହାରାଷ୍ଟ୍ରରେ ରାଜନୀତିକୁ ଉଷ୍ଣ କରିଦେଇଥିଲା, ଯାହା ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା। ଅପରପକ୍ଷରେ, ଶନିବାର ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ କଂଗ୍ରେସର ନେତା ବିଜୟ ୱାଡେଟିୱାର କହିଛନ୍ତି ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦବୀରେ ପରିବର୍ତ୍ତନ ଦେଖିବାକୁ ମିଳିବ। କିନ୍ତ ଭାଜପା ତାଙ୍କ ଦାବିକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି।

ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ କହିଛନ୍ତିେ ବିଜୟ ୱାଡେଟିୱାରଙ୍କ ବିବୃତ୍ତି ନେଇ ମୁଁ ସହମତ ନୁହେଁ। ଆସନ୍ତା ବର୍ଷ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ରହିବେ। ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଶୀର୍ଷ ପଦବୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆଗାମୀ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଶିନ୍ଦେଙ୍କୁ ତାଙ୍କ ପଦରୁ କେହି ହଟାଇ ପାରିବେ ନାହିଁ। ଆମର ବରିଷ୍ଠ ନେତାମାନେ ଏହା ସ୍ପଷ୍ଟ କରିସାରିଛନ୍ତି।

ଖବରଦାତାଙ୍କୁ ୱାଡେଟିୱାର କହିଥିଲେ ଆସନ୍ତା କିଛି ସପ୍ତାହ ମଧ୍ୟରେ ମହାରାଷ୍ଟ୍ର ରାଜ୍ୟ ସରକାରରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ। ରାଜ୍ୟରେ ନିଶ୍ଚିତ ଏକ ବଡ଼ ପରିବର୍ତ୍ତନ ହେବ। ମୁଁ କହୁନାହିଁ ସରକାର ବଦଳିବେ, କିନ୍ତୁ ସେପ୍ଟେମ୍ବର ସୁଦ୍ଧା ମୁଖ୍ୟ ପଦବୀରେ ନିଶ୍ଚିତ ରୂପେ ପରିବର୍ତ୍ତନ ହେବ।

Share