Categories: ଜାତୀୟ

ଶିନ୍ଦେଙ୍କ ଘୋଷଣା: ମରାଠାଙ୍କୁ ମିଳିବ ସଂରକ୍ଷଣ

ମୁମ୍ବାଇ,୧ା୧୧:ମହାରାଷ୍ଟ୍ରର ଅନ୍ୟ ସମ୍ପ୍ରଦାୟଗୁଡ଼ିକୁ ମିଳୁଥିବା ସଂରକ୍ଷଣ ସୁବିଧାକୁ ଅପରିବର୍ତ୍ତିତ ରଖି ମରାଠାମାନଙ୍କୁ ସଂରକ୍ଷଣ ଯୋଗାଇଦେବା ଲାଗି ବୁଧବାର ସର୍ବଦଳୀୟ ବୈଠକରେ ସହମତି ହୋଇଥିବା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଘୋଷଣା କରିଛନ୍ତି। ମରାଠାମାନଙ୍କୁ ସଂରକ୍ଷଣ ଯୋଗାଇଦେବା ଦାବିରେ ଆକ୍ଟିଭିଷ୍ଟ ମନୋଜ ଜରାଙ୍ଗେ ଗତ ୨୫ ତାରିଖରୁ ଅନଶନରେ ବସିଛନ୍ତି। ତାଙ୍କୁ ଅନଶନରୁ ଓହରିଯିବାକୁ ମୁଖ୍ୟମନ୍ତ୍ରୀ ଏକ ଖବରଦାତା ସମ୍ମିଳନୀ ଜରିଆରେ ଅନୁରୋଧ କରିବା ସହ ସମସ୍ୟାର ସମାଧାନ ଲାଗି ସରକାରଙ୍କୁ କିଛିଦିନ ସମୟ ଦେବା ଲାଗି କହିଛନ୍ତି। ସଂରକ୍ଷଣ ଦାବିରେ ଆନ୍ଦୋଳନ ତେଜିବା ପରେ ମୁଖ୍ୟମନ୍ତ୍ରୀ ଏହା ଉପରେ ଆଲୋଚନା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ। ସରକାର ମରାଠାଓ୍ବାଡ଼ିର ମରାଠାମାନଙ୍କୁ ଓବିସି ସୁବିଧା ଦେବା ଲାଗି ସେମାନଙ୍କୁ କୁନ୍‌ବି ଜାତି ପ୍ରମାଣପତ୍ର ଯୋଗାଇ ଦେଉଛନ୍ତି। ଦ୍ୱିତୀୟରେ ତ୍ରୁଟିଶୂନ୍ୟ ସଂଶୋଧିତ ପିଟିଶନ ଦାଏର ଲାଗି ମଧ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ମରାଠା ସଂରକ୍ଷଣ ଦୁଇ ପର୍ଯ୍ୟାୟରେ ଯୋଗାଇ ଦିଆଯିବ ବୋଲି ଶିନ୍ଦେ କହିଛନ୍ତି। କୋଟା ପାଇଁ କିଛିଦିନ ହେଲା ଚାଲିଥିବା ହିଂସାତ୍ମକ ଆନ୍ଦୋଳନକୁ ନେଇ ସର୍ବଦଳୀୟ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଭଳି ହିଂସା କୋଟା ଆନ୍ଦୋଳନରେ ଏକ ଦାଗ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share