ଚମକ ଭରିବ ଚୁମୁକି

ବଅଁରପାଳ, ୩୦ା୯ (ଡି.ଏନ.ଏ.): ଶେଷ ସୋପାନରେ ପହଞ୍ଚିଲାଣି ଶାରଦୀୟ ପୂଜା ଆୟୋଜନ। ମଣ୍ଡପ ସାଜସଜ୍ଜା ସମ୍ପୂର୍ଣ୍ଣ ହେବାକୁ ଆଉ ଅଧିକ କାର୍ଯ୍ୟ ନାହିଁ। ଝଲମଲ କଲାଣି ରଙ୍ଗବେରଙ୍ଗର ଆଲୋକମାଳା। ଜାଗା ମାଡ଼ି ପସରା ମେଲାଇଲେଣି ମିନାବଜାର, ଖାଦ୍ୟ ଷ୍ଟଲ। ଗହଳିଚଳହଳି ମଧ୍ୟ ଆରମ୍ଭ ହେଲାଣି ଅନୁଗୋଳ ଜିଲା ନାଲ୍‌କୋନଗରରେ। ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଧୁମ୍‌ଧାମରେ ପ୍ରସ୍ତୁତି ଚାଲିଥିବା ବେଳେ ଏଥର ପୂଜାରେ ଚମକ ଭରିବ ମୂର୍ତ୍ତି ଓ ମେଢ଼ରେ ହେଉଥିବା ଚୁମୁକି କାରୁକାର୍ଯ୍ୟ।
ଚଳିତବର୍ଷ ୩୭ବର୍ଷରେ ପଦାର୍ପଣ କରିବାକୁ ଯାଉଛି ନାଲ୍‌କୋନଗର ସାର୍ବଜନୀନ ଦୁର୍ଗାପୂଜା। ବିଶେଷକରି ମହାମାରୀ କରୋନା ଯୋଗୁ ଗତ ୨ ବର୍ଷ ହେଲା ବଡ଼ ଆୟୋଜନ ହୋଇ ନ ଥିବାରୁ ଏଥର ପୂଜାକୁ ନେଇ କର୍ମକର୍ତ୍ତା, କାରିଗର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭରପୂର ଉତ୍ସାହ ରହିଛି। ଏହାକୁ ଦୃଷ୍ଟିରେ ରଖି ପୂଜା କମିଟି ପକ୍ଷରୁ ଏଥର ବଜେଟ୍‌କୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଆକର୍ଷଣୀୟ ସାଜସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଲୋକଙ୍କ ମନୋରଞ୍ଜନ ପାଇଁ ମେଲୋଡି, ଅପେରା ପରିବେଷଣର ବ୍ୟବସ୍ଥା ହୋଇଛି। ଦଶହରାରେ ଶ୍ରଦ୍ଧାଳୁଙ୍କୁ ଚାରୁଅନ୍ନ ପ୍ରଦାନ ସହ ୫ ହଜାର ଲୋକଙ୍କ ପାଇଁ ଅନ୍ନ ପ୍ରସାଦ ରନ୍ଧା ଯିବାକୁ ଯୋଜନା କରାଯାଇଛି। ରାବଣ ପୋଡ଼ି ଓ ଆତସବାଜି କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ଥିବାରୁ ଏହାକୁ ଦେଖିବାକୁ ପ୍ରବଳ ଜନ ସମାଗମ ହେବ। ସେହିପରି ଅନ୍ୟତମ ଆକର୍ଷଣ ଭସାଣି ପର୍ବକୁ ଅତି ଆଡ଼ମ୍ବରରେ କରାଯିବ। ବିଭିନ୍ନ ବାଦ୍ୟ, ଲୋକନୃତ୍ୟ ଦଳକୁ ଏଥିରେ ସାମିଲ କରାଯାଇ ମା’ଙ୍କ ମେଢ଼କୁ ଶୋଭାଯାତ୍ରାରେ ନିଆଯିବ। ତେଣୁ ଏହାକୁ କିପରି ଠିକ୍‌ ଭାବେ ପରିଚାଳନା କରାଯାଇପାରିବ ସେଥିପାଇଁ କମିଟି କର୍ମକର୍ତ୍ତାମାନେ ପ୍ରସ୍ତୁତି ଚଳାଇଛନ୍ତି।

ଆକର୍ଷିତ କରିବ ମେଢ
୨ ବର୍ଷ ପରେ ଧୁମ୍‌ଧାମରେ ପୂଜା ପାଳନ କରାଯିବାକୁ ଥିବାରୁ ନାଲ୍‌କୋବାସୀ ଓ ପୂଜା କମିଟି କର୍ମକର୍ତ୍ତା ବେଶ୍‌ ଆନନ୍ଦିତ। ଚଳିତବର୍ଷ ବହୁ ଆଡ଼ମ୍ବରରେ ଏହି ଶାରଦୀୟ ପର୍ବ ପାଳନ କରାଯିବ। ବଙ୍ଗୀୟ କାରିଗରଙ୍କ ଦ୍ୱାରା ସମସ୍ତ ସାଜସଜ୍ଜା କରାଯାଉଛି। ଶ୍ରଦ୍ଧାଳୁମାନଙ୍କୁ ମେଢ଼ ନିଶ୍ଚତ ଆକର୍ଷିତ କରିବ।
-ବି.ଆର୍‌. ପଟ୍ଟନାୟକ, ପୂଜା କମିଟି ସଭାପତି
୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ
ଚଳିତବର୍ଷ ପୂଜାରେ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଅଷ୍ଟମୀ ଦିନ ୭ଶହ ଶ୍ରଦ୍ଧାଳୁ ବ୍ରତ ପାଳନ କରିବେ। ଦଶହରା ଦିନ ୫ ହଜାର ଲୋକଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏଥିସହ ସମସ୍ତଙ୍କୁ ଚାରୁ ଭୋଗ ମଧ୍ୟ ପ୍ରଦାନ କରାଯିବ।
-ମନୋଜ ସ୍ବାଇଁ, ପୂଜା କମିଟି ସମ୍ପାଦକ
ଧୁମ୍‌ଧାମରେ ହେବ ରାବଣ ପୋଡି
ଦଶହରା ଦିନ ରାବଣ ପୋଡି ଆୟୋଜିତ ହେବ। ଆତସବାଜୀ ସହ ରାବଣ ପୋଡି ଦେଖିବାକୁ ହଜାର ହଜାର ଲୋକ ଆସିବେ। ୩ ଦିନ ଧରି ଅପେରା ମଧ୍ୟ ପରିବେଷଣ କରାଯିବ। ଭସାଣିକୁ ଜାକଜମକରେ ପାଳନ କରାଯିବ।
-ବିରଞ୍ଚି ସାମଲ, ପୂଜା କମିଟି କାର୍ଯ୍ୟକାରୀ ସଭାପତି
ମେଢ଼ରେ ଚୁମୁକି କାରୁକାର୍ଯ୍ୟ
ଦୀର୍ଘ ୩୫ ବର୍ଷ ହେଲା ନାଲ୍‌କୋନଗର ମଣ୍ଡପରେ ଦେବୀଙ୍କ ମେଢ ନିର୍ମାଣ କରୁଛି। ଚଳିତ ବର୍ଷ ୮୫ ହଜାର ଟଙ୍କାରେ ମୂର୍ତ୍ତି ସହ ମେଢ଼ କାର୍ଯ୍ୟ କରାଯାଉଛି। ସୁନେଲି ରଙ୍ଗର ମେଢ଼ରେ ଚୁମୁକି କାରୁକାର୍ଯ୍ୟ କରାଯାଉଛି। ଆଲୋକ ପଡ଼ିବା ମାତ୍ରେ ମେଢ଼ ଝଲସି ଉଠିବ।
-ବହ୍ଲେଇ ମହାଳିକ, ବଙ୍ଗୀୟ କାରିଗର