ଝଲସିବ ରାଷ୍ଟ୍ରପତି ଭବନ ପୂଜା ମଣ୍ଡପ

ଭୁବନେଶ୍ୱର, ୩୦।୯ (ବନ୍ଦନା ସେଠୀ): ଉତ୍ସାହ ଉଦ୍ଦୀପନା ସହ ଫେରିଛି ପାର୍ବଣ। କାଶତଣ୍ଡୀ ଫୁଲର ସମ୍ଭାରରେ ସଜେଇ ହେଉଛି ସହରର ପରିବେଶ। ନିଜ ଉପସ୍ଥିତିକୁ ଜାହିର କରିବା ସହ ମା’ ଦଶଭୂଜାଙ୍କ ଧରାବତରଣର ସମୟ ପାଖେଇ ଆସୁଥିବାର ସଙ୍କେତ ଦେଉଛି। ତେଣୁ ମା’ଙ୍କୁ ସ୍ବାଗତ କରିବା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ବିଶେଷକରି ବିଭିନ୍ନ ପୂଜା ମଣ୍ଡପଗୁଡିକ ଚଳଚଞ୍ଚଳ ହେବାରେ ଲାଗିଛି। ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ସୁସଜ୍ଜିତ ତୋରଣ ସାଙ୍ଗକୁ ଆଖି ଝଲସାଇଦେବା ପରି ଆଲୋକ ସଜ୍ଜାରେ ସଜେଇ ହେବ ସାରା ସହର। ଏଥିପାଇଁ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ କାମ ମଧ୍ୟ ଆଗେଇ ଚାଲିଛି। ରାଜଧାନୀର ପ୍ରମୁଖ ପୂଜା ମଣ୍ଡପକୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା ‘ଧରାବତରଣ କରିବେ ମା’।
ରାଜଧାନୀ ଭୁବନେଶ୍ୱରରେ ଶୋଭା ପାଇବ ରାଷ୍ଟ୍ରପତି ଭବନ। ଏଥର ଦଶହରାରେ ଟଙ୍କପାଣି ରୋଡ୍‌ ଦୁର୍ଗପୂଜା କମିଟି ପକ୍ଷରୁ ଆୟୋଜିତ ହେବ ଏହି ସୁଉଚ୍ଚ ତୋରଣ। ଏହା ସାଙ୍ଗକୁ ଆଖିଖୋସା ଆଲୋକସଜ୍ଜା। ଚଳିତବର୍ଷ କମିଟି ପକ୍ଷରୁ ୧୪ତମ ପୂଜା ଅନୁଷ୍ଠିତ ହେଉଥିବାବେଳେ ମୋଟ୍‌ ୧୭ଲକ୍ଷ ଟଙ୍କାର ବଜେଟ୍‌ ରଖାଯାଇଛି। ମାଟି ଅନୁକୂଳ ସରିବା ପରେ ଏବେ ତୋରଣ ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି କାରିଗର। ତୋରଣର ଉଚ୍ଚତା ୮୦ଫୁଟ ରହିଥିବାବେଳେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ୧୭ଫୁଟ ରହିଛି। କଲିକତା କାରିଗରଙ୍କ ଦ୍ୱାରା ଉଭୟ ତୋରଣ ଏବଂ ମୂର୍ତ୍ତିର ନିର୍ମାଣ କାମ ଚାଲୁ ରହିଛି। ଅକ୍ଟୋବର ୨୦ ଷଷ୍ଠୀରେ ମା’ଙ୍କ ଘଟ ସ୍ଥାପନ କରାଯିବ। ଚାନ୍ଦି ହାରରେ ସଜେଇ ହେବେ ମା’। ସପ୍ତମୀରେ ଚକ୍ଷୁଦାନ ପରେ ରୀତିନୀତି ଅନୁଯାୟୀ ଅଷ୍ଟମୀ, ନବମୀ ଏବଂ ଦଶମୀରେ ପୂଜାର୍ଚ୍ଚନା କରାଯିବ। ଅଷ୍ଟମୀ ଦିନ ଟଙ୍କପାଣି ଅଞ୍ଚଳର ପ୍ରାୟ ୫ହଜାର ଲୋକଙ୍କ ଘରେ ଖେଚୁଡି ଭୋଗ ବଣ୍ଟାଯିବ। ସପ୍ତମୀରୁ ନବମୀ ପର୍ଯ୍ୟନ୍ତ ୩ଦିନ ମେଲୋଡି କାର୍ଯ୍ୟକ୍ରମ କରାଯିବ। ଏଥିରେ ତାରିକ୍‌ ଅଜିଜ୍‌, ନାସିର୍‌ଙ୍କ ଭଳି ବହୁ ଲୋକପ୍ରିୟ କଣ୍ଠଶିଳ୍ପୀ ଯୋଗଦେବେ। ସେହିପରି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, ଡେପୁଟି ମେୟର ପ୍ରମୁଖ ଅତିଥି ଭାବେ ଯୋଗଦେବେ। ଶବ୍ଦ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପାରମ୍ପରିକ ବାଦ୍ୟରେ ଭସାଣି ଉତ୍ସବ କରାଯିବ। ଏଥିସହ ସୁରକ୍ଷା ଦୃଷ୍ଟିରୁ ମଣ୍ଡପ ଆଖପାଖରେ ୮ଟି ସିସିଟିଭି କ୍ୟାମେରା ଲଗାଯିବ। ଏବଂ ଟ୍ରାଫିକ୍‌ ସମସ୍ୟାକୁ ଏଡାଇବା ପାଇଁ ୫୦ରୁ ଊର୍ଦ୍ଧ୍ୱ ଭଲ୍ୟୁଣ୍ଟର ରହିବେ।

Share