ଟାଇମ ମାଗାଜିନ୍‌ରେ ଶିଞ୍ଜୋ ଆବେ

ଓ୍ବାଶିଂଟନ୍‌/ଟୋକିଓ, ୧୧ା୭: ଜାପାନର ପରଲୋକଗତ ଲୋକପ୍ରିୟ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଜଣାଶୁଣା ପତ୍ରିକା ‘ଟାଇମ୍‌’ ଶ୍ରଦ୍ଧାଞ୍ଜଳି ଦେଇଛି। ଟାଇମ୍‌ର ପ୍ରଚ୍ଛଦପଟରେ ଆବେଙ୍କ ଫଟୋ ସ୍ଥାନିତ କରାଯାଇଛି। ୨୦୦୬, ୨୦୦୭ ଓ ୨୦୧୪ ପରେ ଏହା ହେଉଛି ଆବେଙ୍କୁ ନେଇ ଟାଇମ୍‌ର ଚତୁର୍ଥ କଭରପେଜ୍‌ ପ୍ରକାଶନ।

ଜାପାନକୁ ସର୍ବାଧିକ ସମୟ ଶାସନ କରିଥିବା ୬୭ ବର୍ଷୀୟ ଶିଞ୍ଜୋ ଆବେ ଶୁକ୍ରବାର ନିଜ ଦଳ ପାଇଁ ନିର୍ବାଚନୀ ପ୍ରଚାର କରୁଥିବାବେଳେ ୪୧ ବର୍ଷୀୟ ଆତତାୟୀ ତେତ୍‌ସୁୟା ୟାମାଗାମିଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ। ରବିବାର ଅନୁଷ୍ଠିତ ଉଚ୍ଚସଦନ ନିର୍ବାଚନରେ ଲିବେରାଲ ଡେମୋକ୍ରାଟିକ୍‌ ପାର୍ଟି (ଏଲ୍‌ଡିପି)ଅଧିକ ଆସନ ଦଖଲ କରିବ ବୋଲି ପୂର୍ବରୁ ଆକଳନ କରାଯାଇଥିବାବେଳେ ଆବେଙ୍କ ମୃତ୍ୟୁ ପରେ ସହାନୁଭୂତି ଯୋଗୁ ସଂଖ୍ୟା ଆହୁରି ବଢ଼ିବା ଅନୁମାନ କରାଯାଉଛି। ବିଭିନ୍ନ ସର୍ବେକ୍ଷଣ ସଂସ୍ଥାର ଏକ୍‌ଜିଟ୍‌ ପୋଲ ଅନୁଯାୟୀ, ୨୪୭ ଆସନ ବିଶିଷ୍ଟ ଉଚ୍ଚସଦନରେ ଏଲ୍‌ଡିପି ନେତୃତ୍ୱାଧୀନ ମେଣ୍ଟକୁ ଅନୂ୍ୟନ ୧୪୩ ଆସନ ମିଳିବ।

ଶାସକ ମେଣ୍ଟ ସପକ୍ଷରେ ଏପରି ଫଳାଫଳ ଆସିଲେ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ୨୦୨୫ ନିର୍ବାଚନ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଶାସନ କରିପାରିବେ। ଅନ୍ୟପକ୍ଷରେ ଆବେଙ୍କ ହତ୍ୟାକାରୀ ତେତ୍‌ସୁୟା ୟାମାଗାମି ଜଣେ ବେକାର ଯୁବକ। ସେ ନୌସେନାରେ ପୂର୍ବରୁ କାର୍ଯ୍ୟରତ ନ ଥିଲେ। ଆବେ ଜଡ଼ିତ ଥିବା ଏକ ଧର୍ମୀୟ ସଙ୍ଗଠନ ଯୋଗୁ ୟାମାଗାମିଙ୍କ ମା’ ସର୍ବସ୍ବାନ୍ତ ହୋଇଥିବାରୁ ସେ ତାଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଜାପାନ ପୋଲିସ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ହୋଇଥିବା ମାନିଛି।

Share