Categories: ଜାତୀୟ

ଭାଜପାକୁ ‘ନା’: ଏକୁଟିଆ ନିର୍ବାଚନ ଲଢିବ ଶିରୋମଣି ଅକାଳୀ ଦଳ

ଚଣ୍ଡିଗଡ,୧୯।୭: ପଞ୍ଜାବରେ ଶିରୋମଣି ଅକାଳୀ ଦଳ ଏବଂ ଭାଜପା ମଧ୍ୟରେ ମିଳିତ ମେଣ୍ଟକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ବିରାମ ଲାଗିଛି। ଅକାଳୀ ଦଳ ଏକାକୀ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଅକାଳୀ ଦଳର ସଭାପତି ସୁଖବୀର ସିଂ ବାଦଲ ସମସ୍ତ ଦଳର କର୍ମୀଙ୍କୁ ବର୍ତ୍ତମାନଠାରୁ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅକାଳି ଦଳ ସମସ୍ତ ୧୩ଟି ଆସନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି।
ଅବୋହର ହଲକେରେ ଶିରୋମଣି ଅକାଳୀ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା। ଅକାଳୀ ଦଳର ସଭାପତି ସୁଖବୀର ସିଂ ବାଦଲ କହିଛନ୍ତି ଯେ, ଆମ ଆଦମୀ ପାର୍ଟି ଜଣେ ମିଥ୍ୟାବାଦୀ, ଏହା ଦେଇଥିବା ପ୍ରତିଶ୍ରୁତି ମିଥ୍ୟା ଅଟେ। ତାଙ୍କର ଦାବି ମିଛ ବୋଲି ପ୍ରମାଣିତ ହୋଇଛି। ଆମ ଆଦମୀ ପାର୍ଟିର ଦେଢ ଼ ବର୍ଷ କାର୍ଯ୍ୟକାଳରେ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି। କ୍ଷମତାକୁ ଆସିବା ମାତ୍ରେ ପ୍ରତ୍ୟେକ ମହିଳା ୧୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ ବୋଲି ଏଏପି ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଦେଢ଼ ବର୍ଷ ପରେ ସରକାର ଏହି ଯୋଜନା ଆରମ୍ଭ କରି ନ ଥିଲେ। ଏହା ବ୍ୟତୀତ ରାଜ୍ୟ ବନ୍ୟା ସଙ୍କଟ ଦେଇ ଗତି କରୁଛି କିନ୍ତୁ ସରକାର ରିଲିଫ କାର୍ଯ୍ୟକୁ ଠିକ ଭାବରେ କରିପାରୁ ନାହାଁନ୍ତି। ଆମ ଆଦମୀ ପାର୍ଟିକୁ କ୍ଷମତାରୁ ହଟାଇବାକୁ ପଡିବ ବୋଲି ସେ କହିଛନ୍ତି।
ସୂଚନା ଯୋଗ୍ୟ, ପୂର୍ବରୁ ଏନଡିଏରେ ଥିବା ଅକାଳି ଦଳ ମଙ୍ଗଳବାର ହୋଇଥିବା ଏନଡିଏ ବୈଠକରେ ଯୋଗ ଦେଇ ନ ଥିଲା।

Share