Categories: ଜାତୀୟ

ବିମାନରୁ ଓହ୍ଲାଇଦେଲେ ମାନ୍‌ଙ୍କୁ: ଅକାଳୀର ଅଭିଯୋଗକୁ ଭିତ୍ତିହୀନ ବୋଲି କହିଲା ଏଏପି

ଚଣ୍ଡିଗଡ଼,୧୯।୯: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଫେରିବାକୁ ଥିବା ବେଳେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି। ସେ ଅତ୍ୟଧିକ ମଦ ପିଇଥିବାରୁ ତାଙ୍କୁ ଲୁଫଥାନ୍ସା ବିମାନରୁ ଓହ୍ଲାଇ ଦିଆଯାଇଥିବା ଏକ ଖବର ପ୍ରକାଶ ପାଇଛି। ଏନେଇ ଶିରୋମଣି ଅକାଳୀ ଦଳର ଅଧ୍ୟକ୍ଷ ସୁଖବିନ୍ଦର ସିଂହ ବାଦଲ ଟୁଇଟ କରି ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ପଞ୍ଜାବୀମାନଙ୍କୁ ଏବଂ ରାଜ୍ୟକୁ ସାରା ବିଶ୍ୱରେ ଲଜ୍ଜିତ କରିଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏହାକୁ ନେଇ ରାଜ୍ୟର ବିରୋଧୀ ଦଳଗୁଡ଼ିକ ତୀବ୍ର ସମାଲୋଚନା କରିଛନ୍ତି। ଖବର ଅନୁଯାୟୀ ମାନ୍‌ ରବିବାର ଅପରାହ୍ନ ୧.୪୦ ଫ୍ଲାଇଟ୍‌ରେ ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଫେରିବାକୁ ଥିଲା। ମାନ୍‌ଙ୍କ ପାଇଁ ଉକ୍ତ ବିମାନ ପ୍ରାୟ ୪ଘଣ୍ଟା ବିଳମ୍ବରେ ଫ୍ରାଙ୍କଫର୍ଟ ଛାଡ଼ିଥିଲା। ମାନ୍‌ ଅନ୍ୟ ଏକ ବିମାନରେ ସୋମବାର ଭୋର ସମୟରେ ନୂଆଦିଲ୍ଲୀ ଫେରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମଦ୍ୟପାନ ଯୋଗୁ ଫେରିବା ବିଳମ୍ବ ହେବା ଅଭିଯୋଗକୁ ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ଖଣ୍ଡନ କରାଯାଇଛି। ଏହି ଅଭିଯୋଗ ଭିତ୍ତିହୀନ କହିବା ସହ ମୁଖ୍ୟମନ୍ତ୍ରୀ ମାନ ନିର୍ଦ୍ଧାରିତ ସମୟରେ ଦିଲ୍ଲୀରେ ପହଞ୍ଚିଛନ୍ତି ବୋଲି ଏଏପି ମୁଖପାତ୍ର ମଲବିନ୍ଦର ସିଂହ କହିଛନ୍ତି। ସେ ଅସୁସ୍ଥ ଅନୁଭବ କରିବାରୁ ବିଳମ୍ବରେ ଫେରିଲେ ବୋଲି ମାନ୍‌ଙ୍କ ସହଯୋଗୀମାନେ ସଫେଇ ଦେଇଛନ୍ତି। ତେବେ ମଦ ପିଇଥିବାରୁ ମାନ୍‌ଙ୍କୁ ବିମାନରୁ ଓହ୍ଲାଇ ଦିଆଗଲା ବୋଲି ସହଯାତ୍ରୀମାନେ କହିଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ବିଳମ୍ବରେ ଫେରିବାରୁ ସେ ଏଏପିର ଜାତୀୟ ସମ୍ମିଳନୀରେ ଯୋଗଦେଇ ପାରି ନ ଥିଲେ।

Share