Categories: ଜାତୀୟ

ଭାଜପାରୁ ଇସ୍ତଫା ଦେବାବେଳେ କାନ୍ଦି ପକାଇଲେ ଶିବ ପ୍ରତାପ

ଶିମଲା,୧୫।୨:ହିମାଚଳ ପ୍ରଦେଶର ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବାର ୨ଦିନ ପୂର୍ବରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶିବ ପ୍ରତାପ ଶୁକ୍ଲା ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ସେ ଗୋରଖପୁରରେ ରାଜ୍ୟ ସଭାପତି ଡା. ଧର୍ମେନ୍ଦ୍ର ସିଂଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଇସ୍ତଫା ଦେବାବେଳେ ସେ ବେଟିହାଟାସ୍ଥିତ ତାଙ୍କ ବାସଭବନରେ ଭାବପ୍ରବଣ ହୋଇପଡିଥିଲେ। ଭାଜପା ସହ ତାଙ୍କର ୩୯ ବର୍ଷ ପୁରୁଣା ସମ୍ପର୍କକୁ ମନେ ପକାଇ ସେ କହିଛନ୍ତି, ସେ କେବେ ଭାବି ନ ଥିଲେ ଭାଜପାରୁ ଇସ୍ତଫା ଦେବେ। କିନ୍ତୁ ଆଜି ସେ ଦିନ ଦେଖିବାକୁ ପଡୁଛି।
ଶିବ ପ୍ରତାପ ୧୮ ଫେବୃଆରୀରେ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ଶିବ ପ୍ରତାପ ୫୦ ବର୍ଷ ଧରି ରାଜନୀତିରେ ସକ୍ରିୟ ଥିଲେ। ଭାଜପା ବ୍ୟତୀତ ସେ ଆରଏସଏସ, ହିନ୍ଦୁ ସଂଗଠନଗୁଡ଼ିକରେ ସାମିଲ ରହିଛନ୍ତି। ତାଙ୍କର ବିଶ୍ୱସ୍ତତା ଏବଂ ଭାବମୂର୍ତ୍ତି ଯୋଗୁଁ ସେ ଦଳର ଶୀର୍ଷ ନେତୃତ୍ୱର ନିକଟତର ହୋଇଥିବାବେଳେ ତାଙ୍କ ପ୍ରତି ଜନମତ ମଧ୍ୟ ଭଲ ରହିଛି।

Share