ମୁମ୍ବାଇ,୧୦।୧୦: ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଶିବସେନା ଏମ୍ପି ସଞ୍ଜୟ ରାଉତଙ୍କୁ କୋର୍ଟରୁ ଝଟ୍କା ମିଳିଛି। ସଞ୍ଜୟଙ୍କ ନ୍ୟାୟିକ ହେପାଜତକୁ କୋର୍ଟ ଅକ୍ଟୋବର ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେହି ଦିନ ତାଙ୍କ ଜାମିନ ଆବେଦନ ମଧ୍ୟ ଶୁଣାଣି ହେବ। ଏହାପୂର୍ବରୁ କୋର୍ଟ ତାଙ୍କୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲେ।
ଗୋରେଗାଓଁରେ ପାତ୍ରା ଚୌଲ ପୁନଃ ନିର୍ମାଣରେ ଆର୍ଥିକ ଅନିୟମିତତା ଅଭିଯୋଗରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସଞ୍ଜୟଙ୍କୁ ଅଗଷ୍ଟ ୨ରେ ଗିରଫ କରିଥିଲା। ଜୁଲାଇ ୩୧ରେ, ଇଡି ଅଧିକାରୀମାନେ ଅନେକ ସ୍ଥାନରେ ଚଢାଉ କରି ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରିଥିଲା। ଏହାପୂର୍ବରୁ ଜୁନ ୨୮ର ଏଜେନ୍ସି ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ତାଙ୍କୁ ଡକାଇଥିଲା। ଅଭିଯୋଗ ହୋଇଛି ଯେ ପାତ୍ରା ଚୌଲ ମାମଲାରେ ୧୦୩୪ କୋଟି ଟଙ୍କା ଠକେଇ କରାଯାଇଛି।ଏହି ଘୋଟାଲା ସହିତ ସଞ୍ଜୟ ରାଉତଙ୍କ ସ୍ତ୍ରୀଙ୍କ ନାମ ମଧ୍ୟ ଜଡିତ। ତାଙ୍କୁ ପଚରାଉଚରା ପାଇଁ ଇଡି ମଧ୍ୟ ଡକାଇଥିଲା। ଇଡି ତାଙ୍କ ଘରୁ ୧୧.୫୦ ଲକ୍ଷ ଟଙ୍କା ଜବତ କରିଛି।