Categories: ଜାତୀୟ

ହୋଟେଲ ଗଲେ ଶିବସେନା ବିଧାୟକ

ନୂଆଦିଲ୍ଲୀ,୭।୬ : ମହାରାଷ୍ଟ୍ରରୁ ୬ ରାଜ୍ୟ ସଭା ଆସନ ଲାଗି ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଭାଜପା ଘୋଡ଼ାବେପାରରେ ସାମିଲ ହେବା ଆଶଙ୍କା କରି ଶାସକ ଶିବସେନାର ବିଧାୟକମାନେ ସୋମବାର ସନ୍ଧ୍ୟାରେ ଏକ ଅଜଣା ହୋଟେଲକୁ ଯାଇଥିବା ଜଣାପଡ଼ିଛି। ସେମାନଙ୍କ ସହ କେତେଜଣ ସ୍ବାଧୀନ ବିଧାୟକ ମଧ୍ୟ ଲକ୍‌ଜ୍ୟୁରି ବସ୍‌ରେ ଅଜଣା ସ୍ଥାନକୁ ଯାଇଛନ୍ତି। ହୋଟେଲ ଯିବା ପୂର୍ବରୁ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବୈଠକ କରିଥିଲେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଏହା ପରେ ମହାରାଷ୍ଟ୍ର ସରକାରଙ୍କ ସହ୍ୟାଦ୍ରି ଗେଷ୍ଟ ହାଉସ୍‌ ବିପରୀତ ପାର୍ଶ୍ୱରେ ଦୁଇଟି ବସ୍‌ ରହିଥିବା ଦେଖିବାକୁ ମିଳିଥିଲା। ୬ ଆସନ ପାଇଁ ଶାସକ ମହାବିକାଶ ଅଘାଡ଼ି କ୍ୟାମ୍ପରୁ ଶିବସେନା ୨ ପ୍ରାର୍ଥୀ ଏବଂ କଂଗ୍ରେସ ଓ ଏନ୍‌ସିପି ଜଣେ ଲେଖାଏ ପ୍ରାର୍ଥୀ ଦେଇଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଭାଜପା ୩ ପ୍ରାର୍ଥୀ ଦେଇଛି। ତେଣୁ ଷଷ୍ଠ ଆସନ ଲାଗି ଶିବସେନାର ସଞ୍ଜୟ ପାଓ୍ବାର ଏବଂ ଭାଜପା ଧନଞ୍ଜୟ ମହାଦିକ୍‌ଙ୍କ ମଧ୍ୟରେ ଲଢ଼େଇ ହେବ। ଭାଜପା ଘୋଡ଼ାବେପାର କରିପାରେ ବୋଲି ଶାସକ ମେଣ୍ଟ ଆଶଙ୍କା କରୁଛି।

Share