Categories: ଜାତୀୟ

କଂଗ୍ରେସକୁ ଯେ କୌଣସି ମୁହୂର୍ତ୍ତରେ ଧୋକା ଦେଇପାରେ ଶିବସେନା: ନିରୁପମ

ମୁମ୍ବାଇ,୨୮ ।୯: ଶିବସେନା ଏମ୍‌ପି ସଞ୍ଜୟ ରାଉତ ଓ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଦେବେନ୍ଦ୍ର ଫଡନବିଶଙ୍କ ସାକ୍ଷାତ୍‌କାରକୁ ନେଇ ବେଳକୁ ବେଳ ରାଜନୀତି ହେଉଛି ସରଗରମ । ଶନିବାର ଏମାନଙ୍କ ମଧ୍ୟରେ କଥାବର୍ତ୍ତା ହେବା ପରେ ଏହାକୁ ନେଇ ପ୍ରଶ୍ନ ଉଠିବାରୁ ସଞ୍ଜୟ କହିଥିଲେ ଆମେ ପରସ୍ପରର ଶତ୍ରୁ ନୁହେଁ । ଏବେ ଏହାକୁ ଆହୁରି ସରଗରମ କରିଛି କଂଗ୍ରେସ ନେତା ସଞ୍ଜୟ ନିରୁପମଙ୍କ ବୟାନ । ନିରୁପମ କହିଛନ୍ତି ଶିବସେନା ଯେ କୌଣସି ମୁହୂର୍ତ୍ତରେ କଂଗ୍ରେସକୁ ଧୋକା ଦେଇପାରେ । କଂଗ୍ରେସ ନିଜର ବିଚାର, ଧର୍ମ ବ୍ୟବହାର ସବୁକିଛି ତ୍ୟାଗ କରି ଶାସନ ଗାଦିରେ ବସିବାକୁ ଶିବସେନାକୁ ସହଯୋଗ କରିଥିଲା । ହେଲେ ଏବେ ଯାହା ପରିଲକ୍ଷିତ ହେଉଛି ଶିବସେନା ଯେ କୌଣସି ମୁହୂର୍ତ୍ତରେ କଂଗ୍ରେସକୁ ଧୋକା ଦେଇପାରେ । ତେଣୁ କଂଗ୍ରେସ ଶିବସେନା ସରକାର ସହ ଆସି ବଡ ଭୁଲ୍ କରିଛି । କାରଣ ଏହା ଶିବସେନା ସହ ବେଶି ଦିନ ରହିପାରିବା ଭଳି ଦେଖାଯାଉ ନାହିଁ । ଗୋଟିଏ ପଟେ ମୋଦି ସରକାରଙ୍କ କୃଷି ବିଲ୍‌କୁ ଉଭୟ ଗୃହରେ କଂଗ୍ରେସ ଓ ଏନ୍‌ସିପି ବିରୋଧ କରିଥିବା ବେଳେ ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହାକୁ ସମର୍ଥନ କରିଛନ୍ତି । ତେଣୁ ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଶିବସେନା କଂଗ୍ରେସକୁ ଧୋକା ଦେବାକୁ ଆଉ ବେଶି ସମୟ ବାକି ନାହିଁ । ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଶିବସେନା ସହ ମେଣ୍ଟ କରିବାକୁ ପ୍ରଥମରୁ ରାଜି ନ ଥିଲେ ନିରୁପମ ।

Share