Categories: ଜାତୀୟ

ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିଲେ ନିଶ୍ଚିତ ଜିତିବେ ପ୍ରିୟଙ୍କା ଗାନ୍ଧୀ: ସଞ୍ଜୟ ରାଉତ

ମୁମ୍ବାଇ,୧୪।୮: ଶିବସେନା(ଉଦ୍ଧବ ଠାକରେ ଗ୍ରୁପ) ନେତା ସଞ୍ଜୟ ରାଉତ କହିଛନ୍ତି, ଯଦି ବାରାଣସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢନ୍ତି ତେବେ ସେ ବିଜୟୀ ହେବା ନିଶ୍ଚିତ। କାରଣ ବାରାଣସୀର ଲୋକେ ପ୍ରିୟଙ୍କାକୁ ଚାହୁଁଛନ୍ତି। ତେଣୁ ବାରାଣସୀ ଓ ଆମେଠିର ଲଢେଇ ଭାରତୀୟ ଜନତା ପାର୍ଟି(ଭାଜପା) ପାଇଁ କଠିନ ହେବ ବୋଲି ସେ କହିଛନ୍ତି।

ସମାଚାର ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ ରବିବାର ମୁମ୍ବାଇରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ସେ ଏହି ଦାବି କରିଛନ୍ତି। ଶିବସେନା (ୟୁବିଟି) ଏମପି କହିଛନ୍ତି ଯେ ଯଦି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ବାରାଣାସୀରୁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଲୋକ ସଭା ଆସନ ପାଇବା କଷ୍ଟକର ହେବ। ସେ କହିଛନ୍ତି ମୁଁ ନିଶ୍ଚିତ ଯେ ପ୍ରିୟଙ୍କା ଜିତିବେ। ରାଉତ କହିଛନ୍ତି ଯେ ୨୦୨୪ରେ ସାରା ଦେଶ ରାହୁଲ ଗାନ୍ଧୀଙ୍କ ସହ ଛିଡା ହେବ।
ଏହା ସହିତ ସେ ଆମେଠି, ବାରାଣାସୀ ଏବଂ ରାୟବରେଲି ଆସନରେ ପରିବର୍ତ୍ତନ ଆଣିବାକୁ ମଧ୍ୟ ଦାବି କରିଛନ୍ତି। ବର୍ତ୍ତମାନ ବାରାଣାସୀରୁ ପ୍ରଧାନମନ୍ତ୍ରୀ ମୋଦି, ଆମେଠିରୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ରାୟବରେଲି ଆସନରୁ କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ ଏମପି ରହିଛନ୍ତି।

Share