Categories: ଜାତୀୟ

ଶିବସେନାକୁ ପୁଣି ଝଟ୍‌କା: ବିଧାୟକଙ୍କ ପରେ ଏମ୍‌ପି କରିପାରନ୍ତି ବିଦ୍ରୋହ

ମୁମ୍ବାଇ,୨।୭: ମହାରାଷ୍ଟ୍ରରେ ଶିବସେନା ନେତା ଏକନାଥ ସିନ୍ଧେଙ୍କ ବିଦ୍ରୋହ ପରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହାବିକାଶ ଅଘାଡ଼ି ସରକାର ଭାଙ୍ଗିପଡ଼ିଛି। ଭାଜପା ସମର୍ଥନରେ ଏକନାଥ ସିନ୍ଧେ ମହାରାଷ୍ଟ୍ରର ୨୦ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେବେ ବିଧାୟକଙ୍କ ପରେ ଏବେ କେତେକ ଏମ୍‌ପି ମଧ୍ୟ ଉଦ୍ଧବ ଗୋଷ୍ଠିଙ୍କ ବିରୋଧରେ ବିଦ୍ରୋହ କରିପାରନ୍ତି ବୋଲି ଭାଜପାର ଜଣେ ବରିଷ୍ଠ ନେତା ଦାବି କରିଛନ୍ତି। ସେ କହିଛନ୍ତି, ଏଥିପାଇଁ ରାଷ୍ଟ୍ରପତି ନିର୍ବାଚନର ମତଦାନ ପାଇଁ ଅପେକ୍ଷା କରାଯାଇଛି। ସୂତ୍ର ଅନୁଯାୟୀ ଅତି କମ୍‌ରେ ୧୪ଜଣ ଏମ୍‌ପି ଶିବସେନା ବିରୋଧରେ ବିଦ୍ରୋହ କରିପାରନ୍ତି ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଶିବସେନା ଏମ୍‌ପି ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ପୁଅ ଶ୍ରୀକାନ୍ତ ସିନ୍ଧେଙ୍କ ସମେତ ଅନ୍ୟ କେତେକ ଏମ୍‌ପି ଶିବସେନାରେ ବିଦ୍ରୋହ କରିପାରନ୍ତି। ଶ୍ରୀକାନ୍ତ ସିନ୍ଧେ ନିଜ ପିତାଙ୍କ ଦଳ ସହିତ ଶିବସେନାଠାରୁ ଅଲଗା ହୋଇସାରିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ଦିନ ଶିବସେନା ଠାରୁ ଭିନ୍ନ ହୋଇ ୧୪ଜଣ ଏମ୍‌ପି ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇପାରନ୍ତି ବୋଲି ଭାଜପାର ଜଣେ ବରିଷ୍ଠ ନେତା କହିଛନ୍ତି। ଏଥିସହ ଏହି ଏମ୍‌ପିମାନେ ଶିବସେନାଠାରୁ ଅଲଗା ହେବା ନେଇ ଘୋଷଣା ମଧ୍ୟ କରିପାରନ୍ତି। ବର୍ତ୍ତମାନ ଶିବସେନାର ଲୋକ ସଭାରେ ୧୯ଜଣ ଏବଂ ରାଜ୍ୟ ସଭାରେ ୩ଜଣ ସଦସ୍ୟ ଅଛନ୍ତି। କୁହାଯାଉଛି, ଶିବସେନା ବିଧାୟକଙ୍କ ବିଦ୍ରୋହ ପରେ ବିଭାଜନର ପ୍ରଭାବ ଲୋକ ସଭାରେ ମଧ୍ୟ ଦେଖାଯିବ। ଲୋକ ସଭାରେ ପ୍ରାୟ ୧୪ଜଣ ଏମ୍‌ପି ଶିବସେନା ବିରୋଧରେ ବିଦ୍ରୋହ କରିପାରନ୍ତି।

Share