Categories: ଜାତୀୟ

ଶିବସେନାର ୟୁଟର୍ନ, ୪୦୩ ନୁହେଁ ୧୦୦ ଆସନରେ ଦେବ ପ୍ରାର୍ଥୀ…

ମୁମ୍ବାଇ,୧୨।୯: ଉତ୍ତରପ୍ରଦେଶରେ କେତେ ସଂଖ୍ୟକ ପ୍ରାର୍ଥୀଙ୍କୁ ଟିକଟ ଦିଆଯିବ ସେ ନେଇ ଗୋଟିଏ ଦିନ ମଧ୍ୟରେ ଶିବସେନା ୟୁଟର୍ନ ଦେଇଛି। ଉତ୍ତରପ୍ରଦେଶରେ ହୋଇଥିବା ଦଳୀୟ କାର୍ଯ୍ୟକାରିଣୀରେ ସମସ୍ତ ୪୦୩ ବିଧାନସଭା ଆସନରେ ପ୍ରାର୍ଥୀ ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ମାତ୍ର ଏବେ ଶିବସେନା ମାତ୍ର ୧୦୦ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେବ ବୋଲି କହିଛି। ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ମହାରାଷ୍ଟ୍ର ରାଜନୀତିରେ ୨୫ ବର୍ଷ ଧରି ଭାଜପାର ବନ୍ଧୁ ଥିବା ଶିବସେନାର ଏଭଳି ଘୋଷଣା ନେଇ ଉତ୍ତରପ୍ରଦେଶ କର୍ମୀ ନିରାଶ ହୋଇଛନ୍ତି।

ସେହିପରି ଗୋଆରେ ଶିବସେନା ୨୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଆବଶ୍ୟକ ପଡ଼ିଲେ ଗୋଆରେ ଏକ ମେଣ୍ଟ ଗଠନ କରାଯିବାର ଯୋଜନା ମଧ୍ୟ ରହିଥିବା ସେ କହିଛନ୍ତି। ଅପରପକ୍ଷରେ ଗୁଜରାଟରେ ବିଜୟ ରୂପାନୀଙ୍କ ଇସ୍ତଫା ବିଷୟରେ ପଚରାଯିବାରୁ ରାଉତ କହିଛନ୍ତି ଯେ ଏହା ଭାଜପାର ଆଭ୍ୟନ୍ତରୀଣ ବିଷୟ।

ସଂଗଠନକୁ ମଜବୁତ କରିବା ପାଇଁ ସମସ୍ତ ବିଧାନସଭାରେ ସଂଯୋଜକ ନିଯୁକ୍ତ କରିବାକୁ ଦଳ ଆଲୋଚନା କରିଛି। ଦଳ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ଖୁବ ଶୀଘ୍ର ନିର୍ବାଚନ ଏବଂ ସଂଗଠନର ରିପୋର୍ଟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନିକଟରେ ଦାଖଲ ହେବ। କେବଳ ଏତିକି ନୁହେଁ, ୟୁପିରେ ଆବଶ୍ୟକ ପଡ଼ିଲେ ରାଜନୈତିକ ଦଳ ସହିତ ଶିବସେନା ବୁଝାମଣା କରିପାରେ ବୋଲି ସେ କହିଛନ୍ତି।

Share