୩ ଦିନିଆ ରିମାଣ୍ଡରେ ଶିବ; କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରିପାରେ ପୋଲିସ

ମାହାଙ୍ଗା/ସାଲେପୁର,୧୨।୪(ଡି.ଏନ୍‌.ଏ.): ରିମାଣ୍ଡରେ ଯିବେ କଟକ ଜିଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ଘଟିଥିବା ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ସାହୁ । ଗୁରୁବାରଠାରୁ ଶିବଙ୍କୁ ରିମାଣ୍ଡରେ ନେଇ ପୋଲିସ ପଚରାଉଚରା କରିବ ବୋଲିଜ ଜଣାପଡ଼ିଛି। ତେବେ ଶିବଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଥିଲା। ହେଲେସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ଏହି ରିମାଣ୍ଡ ଅବଧି ମଧ୍ୟରେ ପୁଲିସ ତାଙ୍କୁ ଧରି କ୍ରାଇମ ସିନ ରିକ୍ରିଏଶନ କରିପାରେ ।

ସୂଚନାଯୋଗ୍ୟ, ୨ ଭାଇ ଅଲେଖ ସାହୁ ଓ ଶିବ ସାହୁଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ପୈତୃକ ଘର ଏବଂ ଜମିବାଡ଼ି ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା। ଅତୀତରେ ଘଟଣାର ଆପୋସ ସମାଧାନ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ଏହି ସମ୍ପତ୍ତି ବିବାଦକୁ ନେଇ ଗତ ସୋମବାର ଶିବଙ୍କର ଭାଇ ଓ ତାଙ୍କ ପରିବାର ସହ ଝଗଡ଼ା ହୋଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ସେ ଗତ ୧୧ ତାରିଖ ରାତିରେ ଶିବ ନିଜ ବଡ଼ଭାଇ ଅଲେଖ ଚନ୍ଦ୍ର ସାହୁ(୫୦), ଭାଉଜ ରଶ୍ମିରେଖା ପୃଷ୍ଟି(୪୨), ଝିଆରୀ ପାୟଲ(୧୯) ଓ ୨ ପୁତୁରା ସ୍ମୃତି ସ୍ବରୂପ(୧୬) ଏବଂ ସ୍ମୃତି ସାଇ(୧୪)ଙ୍କୁ ହତ୍ୟା କରିଥିଲେ। ହେଲେ ପରଦିନ ଅର୍ଥାତ ୧୨ ତାରିଖ ସକାଳେ ସ୍ବାଭାବିକ ଭାବେ ଗାଁରେ ବୁଲି ଲୋକଙ୍କ ସହ କଥା ହୋଇଥିଲେ। ଏ ସମୟରେ ସେ ୫ ଜଣଙ୍କୁ ମାରଣାସ୍ତ୍ରରେ ଏକା ସମୟରେ ହତ୍ୟା କରିବା ଏବଂ ଏନେଇ ପଡ଼ୋଶୀଙ୍କୁ ଜଣା ନ ପଡ଼ିବା ଘଟଣାକୁ ଅନେକେ ବିଶ୍ୱାସ କରିପାରି ନ ଥିଲେ। ଏପରିକି ସେ ପିନ୍ଧିଥିବା ପୋଷାକରେ ଟୋପାଏ ବି ରକ୍ତଛିଟା ପଡ଼ି ନ ଥିବାରୁ ସନ୍ଦେହ ଉପୁଜିଛି। ଏବେ ଏହିଭଳି ଅନେକ ଦିଗକୁ ନେଇ ଶିବଙ୍କୁ ପୋଲିସ ପଚରାଉଚରା କରିପାରେ ବୋଲି ଚର୍ଚ୍ଚା ହେଉଛି।

Share