ଲକ୍ଷ୍ନୌ,୩ା୯: ସମାଜବାଦୀ ପାର୍ଟିର ଯାଦବ ଭୋଟବ୍ୟାଙ୍କକୁ ସୁରକ୍ଷିତ କରିବା ଲାଗି ଅଖିଳେଶ ଯାଦବଙ୍କ ଦାଦା ଶିବପାଲ ଯାଦବ ଏବଂ ପୂର୍ବତନ ଏମ୍ପି ଡି.ପି. ଯାଦବ ପରସ୍ପର ହାତ ମିଳାଇଛନ୍ତି। ସେମାନେ ଆନୁଷ୍ଠାନିକ ଭାବେ ‘ଯଦୁକୁଳ ପୁନର୍ଜାଗରଣ ମିଶନ’(ଓ୍ବାଇପିଏମ୍) ଶୁଭାରମ୍ଭ କରିଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଛୋଟ ଯାଦବ ସମ୍ପ୍ରଦାୟର ନେତାମାନଙ୍କୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ଏହାର ଉଦ୍ଦେଶ୍ୟ। ସମାଜବାଦୀ ପାର୍ଟିର ଅସନ୍ତୁଷ୍ଟ ତଥା ଦଳରୁ ଦୂରେଇ ଯାଇଥିବା ନେତାମାନଙ୍କୁ ଏକାଠି କରିବାକୁ ଉଦ୍ୟମ ହେଉଛି ବୋଲି ଶିବପାଲ କହିଛନ୍ତି। ବରିଷ୍ଠ ନେତା ଶିବପାଲ ଏସ୍ପିରୁ ବିଧାୟକ ଥିବା ସତ୍ତ୍ୱେ ତାଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉ ନ ଥିବାରୁ ସେ ପୁତୁରା ଅଖିଳେଶଙ୍କଠାରୁ ଦୂରେଇଯାଇ ନିଜ ଦଳ ପ୍ରଗତିଶୀଳ ସମାଜବାଦୀ ପାର୍ଟି, ଲୋହିଆ (ପିଏସ୍ପି-ଏଲ୍)କୁ ସୁଦୃଢ଼ କରିବାକୁ ଉଦ୍ୟମ କରୁଛନ୍ତି। ବିଧାନସଭା ନିର୍ବାଚନ ବେଳେ ଡି.ପି. ଯାଦବଙ୍କ ରାଷ୍ଟ୍ରୀୟ ପରିବର୍ତ୍ତନ ଦଳକୁ ମେଣ୍ଟରେ ନେବାକୁ ଅଖିଳେଶ ମନା କରିଦେଇଥିଲେ। ସେଥିପାଇଁ ଡି.ପି. ସମାଜବାଦୀ ପାର୍ଟି ମୁଖ୍ୟଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି।