ନୂଆଦିଲ୍ଲୀ, ୧୯।୯ : ସୋମବାର ପୂର୍ବାହ୍ନ ୯ ଟା ୩୦ରେ କାର୍ଗିଲରୁ ଲଦାଖ ପର୍ଯ୍ୟନ୍ତ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା ବୋଲି ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା।
ଭୂକମ୍ପରେ ଧନଜୀବନ ହାନୀ ହେବାର କୌଣସି ସୂଚନା ମିଳିନାହିଁ। ତେବେ ଭୂକମ୍ପ ହେବାରୁ ଏଠାରେ ବାସ କରୁଥିବା ଲୋକେ ଭୟରେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ପୁଣି ଭୂକମ୍ପ ହେବା ଆଶଙ୍କା ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।
ସୂଚନାଯୋଗ୍ୟ, ରବିବାରର ଗତ ୨୪ ଘଣ୍ଟା ମଧ୍ୟରେ ପୃଥିବୀର ୬ଟି ଦେଶରେ ଭୂକମ୍ପ ଅନୁଭୁତ ହୋଇଥିଲା। ଭାରତର କେତେକ ରାଜ୍ୟରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା, କିନ୍ତୁ ତାଇୱାନ, ଜାପାନ ଏବଂ ଚାଇନା ତୁଳନାରେ ଭୂକମ୍ପର ତୀବ୍ରତା ବହୁତ ଦୁର୍ବଳ ଥିଲା। ତାଇୱାନ, ଜାପାନ, ଚାଇନାରେ ଅଧିକ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୁତ ହୋଇଥିଲା।
କେବଳ ତାଇୱାନ, ଜାପାନ, ଚାଇନା ଆଦି ୩ ଦେଶରେ ରବିବାରଠାରୁ ଇତିମଧ୍ୟରେ ୫୦ ରୁ ଅଧିକ ଥର ଭୂକମ୍ପ ଅନୁଭୂତ ହୋଇଛି। ତାଇୱାନରେ ସୁନାମି ଚେତାବନୀ ଜାରି କରାଯାଇଛି।