Categories: ଜାତୀୟ

ଏସ୍‌ପି ବିଧାୟକଙ୍କ ସହ ବସିବାକୁ ଚାହୁଁନାହାନ୍ତି ଶିବପାଲ: ଆସନ ବଦଳାଇବାକୁ କଲେ ଦାବି

ଲକ୍ଷ୍ନୌ,୨୫।୫: ଗତ କିଛି ଦିନରୁ ସମାଜବାଦୀ ପାର୍ଟି(ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ଓ କକା ଶିବପାଲ ଯାଦବଙ୍କ ମଧ୍ୟରେ ଲାଗିରହିଥିବା ଦୂରତା ଏବେ ବଢ଼ିବାରେ ଲାଗିଛି। ବେଳକୁ ବେଳ ଏହା ସର୍ବସମ୍ମୁଖରେ ପରିଲକ୍ଷିତ ହେବାରେ ଲାଗିଛି। ଇତିମଧ୍ୟରେ ଶିବପାଲଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଏସ୍‌ପି ବିଧାୟକଙ୍କ ସହ ସେ ବସିବାକୁ ଚାହୁ ନ ଥିବା ଜଣାପଡ଼ିଛି। ଏଥିପାଇଁ ସେ ଆସନ ବଦଳାଇବାକୁ ଦାବି କରି ବିଧାନସଭା ବାଚସ୍ପତି ସତୀଶ ମହାନାଙ୍କୁ ଏକ ଚିଠି ଲେଖିଛନ୍ତି। ତାଙ୍କ ବରିଷ୍ଠତାକୁ ଦୃଷ୍ଟିରେ ରଖି ଏକ ନୂତନ ଆସନ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ଶିବପାଲ। ସୂଚନାଯୋଗ୍ୟ, ଚଳିତ ଥର ସମସ୍ତ ବିଧାୟକଙ୍କ ଆସନ ସ୍ଥିର କରାଯାଇଛି। ଶିବପାଲ ଯାଦବଙ୍କ ଆସନ ଏସ୍‌ପି ବିଧାୟକ ମନୋଜ ପାରସ ଏବଂ ଅବଦୁଲ୍ଲା ଆଜମଙ୍କ ସହ ରହିଛି। ସେହିପରି ବିରୋଧୀଦଳର ନେତା ଅଖିଳେଶ ଯାଦବଙ୍କ ଧାଡ଼ି ପଛରେ ଶିବପାଲ ଯାଦବଙ୍କ ଆସନ ରହିଛି। ଏବେ ଶିବପାଲ ଯାଦବ ତାଙ୍କ ଆସନ ବଦଳାଇବାକୁ ଦାବି କରିଛନ୍ତି। ଶିବପାଲ ଯାଦବଙ୍କ ବ୍ୟତୀତ ୧୨ଏସ୍‌ପି ବିଧାୟକ ମଧ୍ୟ ଆସନ ବଦଳାଇବାକୁ ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ, ସେମାନଙ୍କୁ ଦିଆଯାଇଥିବା ସିଟ୍‌ରେ ବସିବା କଷ୍ଟକର ହୋଇପଡୁଛି। ସୂଚନା ମୁତାବକ, ଉତ୍ତରପ୍ରଦେଶ ବିଧାନସଭା ଚଳିତ ଥର ପେପରଲେସ୍‌ ହୋଇଛି। ବର୍ତ୍ତମାନ ଟାବଲେଟରୁ ଗୃହର ପ୍ରକ୍ରିୟା ଚାଲିଛି। ସେଥିପାଇଁ ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ଆସନରେ ଟାବଲେଟ ଲଗାଯାଇଛି। ତେଣୁ ସେହି ଅନୁଯାୟୀ ସମସ୍ତଙ୍କୁ ସିଟ୍‌ ବଣ୍ଟନ କରାଯାଇଛି। କାରଣ ସଂପୃକ୍ତ ବିଧାୟକଙ୍କ ଫିଙ୍ଗର ପ୍ରିଣ୍ଟ ଏବଂ ଲଗ୍‌ ଇନ ପାସୱାର୍ଡ ସହିତ ଟ୍ୟାବଲେଟ ଖୋଲାଯିବାର ବ୍ୟବସ୍ଥା କରାଯାଇଛି। ଆସନ ପରିବର୍ତ୍ତନ ହେଲେ, ସେମାନଙ୍କର ଟାବଲେଟକୁ ମଧ୍ୟ ହଟାଇବାକୁ ପଡିବ।

Share