Categories: ଜାତୀୟ

ଜାତୀୟ, ରାଜ୍ୟ କାର୍ଯ୍ୟକାରିଣୀ କମିଟି ଭାଙ୍ଗିଲା ପିଏସ୍‌ପି-ଏଲ୍‌

ଲକ୍ଷ୍ନୌ,୧୬।୪: ଶିବପାଲ ଯାଦବଙ୍କ ପ୍ରଗତିଶୀଳ ସମାଜବାଦୀ ପାର୍ଟି-ଲୋହିଆ (ପିଏସ୍‌ପି-ଏଲ୍‌) ଶୁକ୍ରବାର ଏହାର ସମସ୍ତ ରାଜ୍ୟ ଓ ଜାତୀୟ କାର୍ଯ୍ୟକାରୀ କମିଟିକୁ ଭଙ୍ଗ କରିଛି। ଭାଜପାର ସମାନ ନାଗରିକ ସଂହିତା (ୟୁସିସି) ଚିନ୍ତାଧାରାକୁ ଶିବପାଲ ସମର୍ଥନ କରିବା ପରେ ଦଳ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ମୁଲାୟମ ସିଂ ଯାଦବଙ୍କ ଭାଇ ଶିବପାଲଙ୍କୁ ସମାଜବାଦୀ ପାର୍ଟିରେ ଉପଯୁକ୍ତ ଗୁରୁତ୍ୱ ନ ମିଳିବାରୁ ସେ କିଛିଦିନ ହେଲା ଅସନ୍ତୁଷ୍ଟ ଅଛନ୍ତି। ଆଗାମୀ ଦିନରେ ସେ ଭାଜପାକୁ ସମର୍ଥନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଗତ ମାସରେ ସେ ଦିଲ୍ଲୀରେ ବରିଷ୍ଠ ଭାଜପା ନେତାମାନଙ୍କୁ ଭେଟିଥିଲେ। ତେବେ ଶିବପାଲ ତାଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି। ଦଳ ଅଧ୍ୟକ୍ଷ ଶିବପାଲଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ରାଜ୍ୟ ଓ ଜାତୀୟ ସ୍ତରରେ ଥିବା ଦଳୀୟ କମିଟିଗୁଡ଼ିକୁ ଭାଙ୍ଗି ଦିଆଯାଇଥିବା ପିଏସ୍‌ପି-ଏଲ୍‌ର ରାଷ୍ଟ୍ରୀୟ ସମ୍ପାଦକ ଆଦିତ୍ୟ ଯାଦବ ଜାରି କରିଥିବା ସର୍କୁଲାରରେ କୁହାଯାଇଛି। ଏହା ବ୍ୟତୀତ ଦଳର ସମସ୍ତ ମୁଖପାତ୍ର କମିଟିକୁ ମଧ୍ୟ ଭାଙ୍ଗି ଦିଆଯାଇଛି।

Share