Categories: ଜାତୀୟ

‘ମୋତେ ଦଳରୁ ବାହାର କରିଦିଅ’

ଲକ୍ଷ୍ନୌ,୨୧।୪: ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବଂ ପ୍ରଗତିଶୀଳ ସମାଜବାଦୀ ପାର୍ଟି ମୁଖ୍ୟ ଶିବପାଲ ସିଂ ଯାଦବଙ୍କ ମଧ୍ୟରେ ତିକ୍ତତା ଥମିବାର ନାଁ ନେଉନାହିଁ। ଗୁରୁବାର ଦାଦା ଶିବପାଲ ପୁତୁରା ଅଖିଳେଶଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତ, ଯଦି ସେ ଭାବୁଛନ୍ତି ଯେ ମୁଁ ଭାଜପାରେ ଅଛି, ତେବେ ମୋତେ ଦଳରୁ ବାହାର କରିଦିଅନ୍ତୁ।
ଅଖିଳେଶ ଯାଦବ ଆଗ୍ରାର ଏକ କାର୍ଯ୍ୟକ୍ରମରେ କହିଥିଲେ, ଶିବପାଲ ଯାଦବ ଭାଜପା ସହ ଯୋଗାଯୋଗରେ ଅଛନ୍ତି। ଅଖିଳେଶଙ୍କ ଏହି ବିବୃତ୍ତିକୁ ଦାୟିତ୍ୱହୀନ ବୋଲି କହି ଶିବପାଲ କହିଛନ୍ତି, ମୁଁ ଏସପି ସହ ମିଶି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲି। ମୁଁ ଏସପିର ୧୧୧ ବିଧାୟକଙ୍କ ମଧ୍ୟରୁ ଜଣେ। ତଥାପି ଯଦି ସେ ଏପରି ଭାବନ୍ତି, ତେବେ ସେ ତୁରନ୍ତ ଏକ ନିଷ୍ପତ୍ତି ନେଇ ମୋତେ ଦଳରୁ ବାହାର କରିଦେବା ଉଚିତ୍‌।
ସୂଚନାଯୋଗ୍ୟ,ୟୁପି ନିର୍ବାଚନ ପୂର୍ବରୁ ଏସପି ନେତା ଅଖିଳେଶ ଯାଦବ ଏବଂ ତାଙ୍କ ଦାଦା ତଥା ପ୍ରଗତିଶୀଳ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଶିବପାଲ ଯାଦବ ଏକାଠି ନଜର ଆସିଥିଲେ। ଉଭୟ ଏକାଠି ନିର୍ବାଚନ ଲଢିବେ ବୋଲି ମଧ୍ୟ ଘୋଷଣା କରିଥିଲେ। କିନ୍ତୁ ନିର୍ବାଚନ ପରେ ପୁଣି ପୁତୁରାଙ୍କ ଉପରେ ରାଗିଯାଇଛନ୍ତି ଦାଦା। ସେ ଏବେ ଭାଜପା ଟିକେଟ୍‌ରୁ ରାଜ୍ୟ ସଭା ଯିବେ ବୋଲି ଚର୍ଚ୍ଚା ହେଉଛି। ନିକଟରେ ସେ ଦିଲ୍ଲୀରେ ଭାଜପାର ଶୀର୍ଷ ନେତାଙ୍କୁ ସାକ୍ଷାତ କରିବା ପରେ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ।

Share