Categories: ଜାତୀୟ

ଯୋଗୀଙ୍କୁ ଭେଟିବା ପରେ ଶିବପାଲଙ୍କୁ ନେଇ ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୩୧।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ସରିଥିଲେ ମଧ୍ୟ ରାଜନୈତିକ ଚର୍ଚ୍ଚା ଥମିବାର ନାଁ ଧରୁନି। ନିର୍ବାଚନ ପୂର୍ବରୁ ଏସପି ନେତା ଅଖିଳେଶ ଯାଦବ ଏବଂ ତାଙ୍କ ଦାଦା ତଥା ପ୍ରଗତିଶୀଳ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଶିବପାଲ ଯାଦବ ଏକାଠି ନଜର ଆସିଥିଲେ। ଉଭୟ ଏକାଠି ନିର୍ବାଚନ ଲଢିବେ ବୋଲି ମଧ୍ୟ ଘୋଷଣା କରିଥିଲେ। କିନ୍ତୁ ନିର୍ବାଚନ ପରେ ପୁଣି ପୁତୁରାଙ୍କ ଉପରେ ରାଗିଯାଇଛନ୍ତି ଦାଦା। ସେ ଏବେ ଭାଜପା ଟିକେଟ୍‌ରୁ ରାଜ୍ୟ ସଭା ଯିବେ ବୋଲି ଚର୍ଚ୍ଚା ହେଉଛି। ନିକଟରେ ସେ ଦିଲ୍ଲୀରେ ଭାଜପାର ଶୀର୍ଷ ନେତାଙ୍କୁ ସାକ୍ଷାତ କରିବା ପରେ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି।
ସେପଟେ ଭାଜପାରେ ସାମିଲ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମୁହଁ ଖୋଲିଛନ୍ତି ଶିବପାଲ। ସେ କହିଛନ୍ତି, ‘ଏବେ ଉଚିତ ସମୟ ନାହିଁ। ଉଚିତ ସମୟର ଅପେକ୍ଷା କରନ୍ତୁ।’
ସୂଚନା ମୁତାବକ, ଉତ୍ତରପ୍ରଦେଶରେ ଜୁଲାଇ ମାସରେ ୧୧ଟି ରାଜ୍ୟ ସଭା ଆସନ ଖାଲି ପଡିବ। ଏଥିରୁ ଭାଜପା ୭ରୁ ୮ଟି ଆସନ ଜିତିବା ନିଶ୍ଚିତ। ଶିବପାଲ ସିଂହ ଯାଦବ ବର୍ତ୍ତମାନ ଭାଜପା ସହାୟତାରେ ରାଜ୍ୟ ସଭା ଯାଇପାରନ୍ତି।

Share