Categories: ଖେଳ

ଶିବପାଲ୍‌ଙ୍କ ବାସନ୍ଦ ଦଣ୍ଡ ୧ ବର୍ଷକୁ ହ୍ରାସ

ନୂଆଦିଲ୍ଲୀ, ୧୧ା୧ (ପି.ଟି.): ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍‌ସି (ନାଡା)ର ଅପିଲ ପ୍ୟାନେଲ ଭାରତର ଟପ୍‌ ଜାଭେଲିନ ଥ୍ରୋୟର ଶିବପାଲ୍‌ ସିଂଙ୍କ ବାସନ୍ଦ ଦଣ୍ଡକୁ ୪ ବର୍ଷରୁ ୧ ବର୍ଷ କମାଇ ଦେଇଛି। ଏଣିକି ସେ ପ୍ରତିଯୋଗିତାରେ ଭାଗ ନେଇପାରିବେ। ୨୦୨୧ ସେପ୍ଟେମ୍ବରରେ ପ୍ରତିଯୋଗିତା ବାହାରେ ଶିବପାଲ୍‌ଙ୍କ ଡୋପ୍‌ ଟେଷ୍ଟ ହୋଇଥିଲା। ତାଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପଲରେ ଏକ ଷ୍ଟେରଏଡ୍‌ର ମାତ୍ରା ରହିଥିବା ଦେଖିବାକୁ ମିଳିଥିଲା। ଫଳରେ ନାଡାର ଆଣ୍ଟି ଡୋପିଂ ଶୃଙ୍ଖଳା ପ୍ୟାନେଲ ଗତବର୍ଷ ଅଗଷ୍ଟ ୧୬ରେ ଶିବପାଲ୍‌ଙ୍କୁ ୪ ବର୍ଷ ବାସନ୍ଦ ଦଣ୍ଡରେ ଦଣ୍ଡିତ କରିଥିଲା। ଉତ୍ତରପ୍ରଦେଶର ଏହି ଆଥଲେଟଙ୍କ ବାସନ୍ଦ ଅବଧି ୨୦୨୧ ଅକ୍ଟୋବର ୨୧ରୁ ଆରମ୍ଭ ହୋଇଥିଲା। ମଙ୍ଗଳବାରର ନିର୍ଦ୍ଦେଶନାମା ପରେ ଏଣିକି ଯେ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଡୋପ୍‌ ଟେଷ୍ଟରେ ଧରାପଡ଼ିବା ପରେ ଶିବପାଲ୍‌ ଅପିଲ ପ୍ୟାନେଲର ଦ୍ୱାରସ୍ଥ ହୋଇଥିଲେ। ସେ ଜାଣତରେ କୌଣସି ନିଷିଦ୍ଧ ଔଷଧ ସେବନ କରିନାହାନ୍ତି, ବରଂ ଦୂଷିତ ସପ୍ଲିମେଣ୍ଟ ଯୋଗୁ ସେ ଡୋପ୍‌ ଟେଷ୍ଟରେ ଧରାପଡ଼ିଥିଲେ ବୋଲି କହିଥିଲେ। ଅପିଲ ପ୍ୟାନେଲ ତାଙ୍କ ଯୁକ୍ତିକୁ ଗ୍ରହଣ କରିଥିଲା। ଏହି ନକଲି ସପ୍ଲିମେଣ୍ଟ ହର୍ବାଲ ଫାର୍ମାସୀ ନାମକ ଜଣେ ଖୁଚୁରା ବ୍ୟବସାୟୀଙ୍କଠାରୁ କ୍ରୟ କରାଯାଇଥିଲା। ବ୍ୟବସାୟୀ ଜଣକ ଦୂଷିତ ସପ୍ଲିମେଣ୍ଟ ବିକ୍ରି କାରବାରରେ ସଂଶ୍ଳିଷ୍ଟ ଥିବା କଥା ଜଣାପଡ଼ିଥିଲା। ତାଙ୍କ ବିରୋଧରେ ଏକ ଏଫ୍‌ଆଇଆର ପଞ୍ଜୀକୃତ ହୋଇଥିଲା ବୋଲି ଶିବପାଲ୍‌ଙ୍କ ଓକିଲ ପାର୍ଥ ଗୋସ୍ବାମୀ ପ୍ରକାଶ କରିଛନ୍ତି। ଶିବପାଲ ଯେଉଁ ସପ୍ଲିମେଣ୍ଟ ସେବନ କରିଥିଲେ, ତାହା ଦୂଷିତ ବୋଲି ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବୋରେଟୋରିରେ ପରୀକ୍ଷା କରାଯିବାରୁ ଜଣାପଡ଼ିଥିଲା। ସେଥିରେ ମେଥାନଡିନୋନ୍‌ର ମାତ୍ରା ରହିଥିବା ଆଥଲେଟଙ୍କଠାରୁ ସଂଗୃହୀତ ସାମ୍ପଲରେ ଦେଖିବାକୁ ମିଳିଥିଲା।

Share