ଭୋପାଳ,୫।୧: ମଧ୍ୟପ୍ରଦେଶର ଶିବପୁରୀ ଜିଲାରେ ଚୋରିର ଏକ ନିଆରା ଘଟଣା ସାମ୍ନାକୁ ଆସିଛି। ସେଠାରେ ଥିବା ଏକ ଦୋକାନରେ ଜଣେ ଦୁର୍ବୃତ୍ତ ପଶି ନଗଦ ଟଙ୍କା ଓ ଜିନିଷ ଚୋରି କରିଥିଲେ। ଏହାପରେ ସେଠାରେ ସେ ଡାନ୍ସ କରିଥିବା ଦେଖିବାକୁ ମିଳିଛି। ଏହି ସମସ୍ତ ଘଟଣା ସିସିଟିଭିରେ କଏଦ୍ ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଶିବପୁରୀ ଜିଲାର ଖାନିଆନ୍ଧାନା ଥାନା ଅଞ୍ଚଳର ଗୁଡର ରୋଡ ସ୍ଥିତ ମୋଦି ଟାଇଲ୍ସ ଓ ଶସ୍ୟ ବ୍ୟବସାୟୀ ଦୋକାନ ରହିଛି। ଉକ୍ତ ଦୋକାନରେ ଚୋର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଜିନିଷ ଅର୍ଥାତ୍ ଲାପ୍ଟପ୍ ଜରୁରୀ କାଗଜପତ୍ର ଓ ନଗଦ ଟଙ୍କା ଚୋରି କରିବା ପରେ ଡାନ୍ସ କରିଥିଲେ। ସକାଳୁ ଉକ୍ତ ଦୋକାନର ମାଲିକ ଆସି ଦେଖିବା ବେଳେକୁ ଦୋକନର ତାଲା ଭାଙ୍ଗିଛି। ଏହାପରେ ସେମାନେ ସିସିଟିଭିକୁ ଦେଖିଥିଲେ। ଏସମସ୍ତ ଘଟଣା ବାବଦରେ ଉକ୍ତ ମାଲିକ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିବା ସହ ଚୋରଙ୍କୁ ଖୋଜାଯାଉଛି। ଖୁବ୍ଶୀଘ୍ର ଚୋରଙ୍କୁ ଗିରଫ କରାଯିବ ବୋଲି ଏସ୍ଆଇ ରଣବୀର ସିଂହ ଚୌହାନ କହିଛନ୍ତି।