Categories: ଜାତୀୟ

ଶିବରାଜ ସରକାର ଗାଦିରୁ ହଟିବ: କମଲ ନାଥ

ଭୋପାଳ,୨୩।୬: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ଏବଂ କଂଗ୍ରେସ ନିଜ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଏହି ଅବସରରେ ରାଜ୍ୟର ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ତଥା ପିସିସି ମୁଖ୍ୟ କମଲ ନାଥ ଭାଜପା ସରକାରକୁ ଟାର୍ଗେଟ କରିଛନ୍ତି। ଶାଜାପୁରର ଆକୋଦିଆଠାରେ ଏକ ସଭାରେ କମଲ କହିଛନ୍ତି, ୪ ମାସ ପରେ ରାଜ୍ୟ ବିଧାନସଭା ନିର୍ବାଚନ ହେବ। ଏଥର ଆମଦଳ ପକ୍ଷରୁ କେବଳ ସ୍ଥାନୀୟ ପ୍ରାର୍ଥୀଙ୍କୁ ପ୍ରାଥମିକତା ଦେବ।
ଆଉ ଶିବରାଜ ସିଂ ଚୌହାନଙ୍କ ସରକାରଙ୍କ ପତନ ନିଶ୍ଚିତ। ପୂର୍ବାପେକ୍ଷା ଅଧିକ ଆସନ ପାଇ କଂଗ୍ରେସ ସରକାର ଗଠନ କରିବ। ଆଉ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିବା ବିଧାୟକମାନେ ଏଥର ଉଚିତ ଶିକ୍ଷା ପାଇବେ। ଗତ ୧ ବର୍ଷରେ ମଧ୍ୟପ୍ରଦେଶ ସରକାର ୩ ଲକ୍ଷ କୋଟି ଋଣ ନେଇଥିଲେ। କିନ୍ତୁ ଯୁବବର୍ଗ, କୃଷକ ଏବଂ ଶିକ୍ଷକମାନଙ୍କୁ ଏହାର ସୁବିଧା ଦେବା ପରିବର୍ତ୍ତେ ଭାଜପା ବଡ ବଡ ଠିକା ଦେଇଥିଲା। ଆଉ ଏଥିରୁ ମୋଟା ଆକାରର କମିଶନ ହାତେଇଥିଲା।
ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଶିବରାଜ ଏକ ଭୂମି ପୂଜା ଯନ୍ତ୍ରରେ ପରିଣତ ହୋଇ ନଡ଼ିଆକୁ ପକେଟରେ ରଖିଛନ୍ତି। ସବୁଆଡେ ବୁଲିବୁଲି ପ୍ରକଳ୍ପର ଭୂମିପୂଜନ କରୁଛନ୍ତି। ସେ ୧୮ ବର୍ଷ ଧରି ରାଜ୍ୟର ଭଉଣୀ, କୃଷକ, ଶିକ୍ଷକଙ୍କୁ ମନେ ପକାଇ ନ ଥିଲେ। ଏବେ ନିର୍ବାଚନ ଆସୁଥିବାରୁ ସେ ସମସ୍ତଙ୍କୁ ମନେ ରଖିବା ଆରମ୍ଭ କରି ଦେଇଛନ୍ତି ବୋଲି କମଲ ନାଥ କହିଛନ୍ତି।

Share