Categories: ଜାତୀୟ

ଶିବରାଜଙ୍କ ବଡ଼ ବୟାନ: ମୁଖ୍ୟମନ୍ତ୍ରୀ ପଦ ଲାଗି ମୁଁ ଦାବିଦାର ନା ଥିଲି, ନା ଅଛି…

ଭୋପାଳ,୫।୧୨: ନିକଟରେ ଶେଷ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜୟ ପତାକା ଉଡ଼ାଇଛି ଭାଜପା। ଏବେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ମାନସମନ୍ଥନ ଚାଲିଛି। ଏଭଳି ସମୟରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ବଡ଼ ବୟାନ ଦେଇ ସମସ୍ତଙ୍କୁ ଚମକାଇଛନ୍ତି। ସେ କେବେହେଲେ ମୁଖ୍ୟମନ୍ତ୍ରୀ ପଦ ଲାଗି ଦାବିଦାର ନା ଥିଲେ ନା ଅଛନ୍ତି ବୋଲି କହିଛନ୍ତି। ଏହାଛଡ଼ା ସେ କେବଳ ଭାଜପାର ଜଣେ କର୍ମୀ। ଏଣୁ ଦଳ ତାଙ୍କୁ ଯେଉଁ କାମ ଦେବ ତାହାକୁ ସେ ବେଶ ସଚ୍ଚୋଟତାର ସହ ପୂରଣ କରିବେ ବୋଲି କହିଛନ୍ତି।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ୨୩୦ ଆସନରୁ ୧୬୩ରେ ବିଜୟ ଲାଭ କରିଥିଲା। ହେଲେ କଂଗ୍ରେସ ମାତ୍ର ୬୬ ଆସନ ହାତେଇବାରେ ସଫଳ ହୋଇଥିଲା। ସେବେଠାରୁ ପୁଣିଥରେ ଶିବରାଜଙ୍କୁ ଦଳ ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ‘ମୋଦି ହେଉଛନ୍ତି ଆମର ନେତା। ତାଙ୍କ ସହ କାମ କରିବା ସୌଭାଗ୍ୟର କଥା। ତାଠାରୁ ବଡ଼ ସୌଭାଗ୍ୟର ବିଷୟ ଯେ ମୁଁ ଜଣେ ଭାଜପା କର୍ମୀ। ମୁଁ ରାଜ୍ୟବାସୀଙ୍କ ପ୍ରତି କୃତଜ୍ଞ। ଯେତିକି ସକ୍ଷମ ସେତିକି କାମ ମୁଁ କରିଛି। ’

କହିରଖୁଛୁ, ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶିବରାଜ ଭାଜପା ବିଜୟ ପଛର ନାୟକ ସାଜିଥିଲେ। ତାଙ୍କର ‘ଲାଡଲୀ ବେହେନା’ ଯୋଜନା ହିଁ ବିରୋଧୀଙ୍କୁ ଚ୍ୟାଲେଞ୍ଜ ଦେଇଥିଲା। ଏକ କୃଷକ ପରିବାରରୁ ଆସିଥିବା ଶିବରାଜ ସବୁଠାରୁ ଅଧିକ ବର୍ଷ ଧରି ଅର୍ଥାତ ୧୬ ବର୍ଷ ୯ ମାସ ଯାଏ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ରହି ଇତିହାସ ରଚିଛନ୍ତି। ସେ ୪ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏବେ ସେ ପୁଣିଥରେ ରାଜ୍ୟର ନେତୃତ୍ୱ ନେଇପାରନ୍ତି।

Share