Categories: ଜାତୀୟ

ଗଣବିବାହରେ କନ୍ୟାଙ୍କୁ କଣ୍ଡୋମ,ଗର୍ଭନିରୋଧକ ବଟିକା ବାଣ୍ଟିଲେ ଶିବରାଜଙ୍କ ସରକାର : କଂଗ୍ରେସର କଡ଼ା ସମାଲୋଚନା…

ଭୋପାଳ,୩୦।୫ : ମଧ୍ୟପ୍ରଦେଶର ଆଦିବାସୀ ପ୍ରାଧାନ୍ୟ ଜିଲା ଝାବୁଆରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ନେଇ ଏବେ ରାଜ୍ୟରେ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। ବିରୋଧୀ କଂଗ୍ରେସ ଶାସକ ଭାଜପାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସରକାରଙ୍କୁ ଏନେଇ ଘେରିବା ଆରମ୍ଭ କରିଛି। କଂଗ୍ରେସ ଏହି ଘଟଣାକୁ ଲଜ୍ଜାଜନକ ବୋଲି କହିଛି। ବିରୋଧୀ ଦଳ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଦାୟୀ କରିବାବେଳେ ପଚାରିଛି, ଶିବରାଜ ଜୀ ଏହା କ‘ଣ, ଏହା ଅତ୍ୟନ୍ତ ଲଜ୍ଜାଜନକ। ବାସ୍ତବରେ, ମଧ୍ୟପ୍ରଦେଶ ସରକାର କଣ୍ଡୋମ ଏବଂ ଗର୍ଭନିରୋଧକ ବଟିକାକୁ ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା ଅର୍ନ୍ତଗତ ଉପହାର ସ୍ବରୂପ ଗଣବିବାହରେ ବଣ୍ଟନ କରିଥିଲେ। ଏହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

ଝାବୁଆରେ ଗଣବିବାହ ଆୟୋଜନ କରାଯାଇଥିଲା। ୨୯୬ ଯୋଡାଙ୍କର ବିବାହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସରକାରୀ କର୍ମଚାରୀମାନେ କନ୍ୟାମାନଙ୍କୁ ମେକଅପ ବାକ୍ସ ଉପହାର ଦେଇଥିଲେ। ଏହି ମେକଅପ ବାକ୍ସ ଭିତରେ ଗର୍ଭନିରୋଧକ ବଟିକା ଏବଂ କଣ୍ଡୋମର ପ୍ୟାକେଟ ଥିଲା। କଣ୍ଡୋମ ଏବଂ ଗର୍ଭନିରୋଧକ ବଟିକା ସାମୁହିକ ବିବାହରେ ଆଲୋଚନାର ବିଷୟ ପାଲଟିଥିଲା। ରାଜ୍ୟରେ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗ ଆସିଛି। ଏନେଇ ପ୍ରଶ୍ନ ମଧ୍ୟ ଉଠିଛି। ଲୋକମାନେ ପଚାରୁଛନ୍ତି କନ୍ୟାର ମେକଅପ ବାକ୍ସରେ କଣ୍ଡୋମ ପ୍ୟାକେଟ ଏବଂ ଗର୍ଭନିରୋଧକ ବଟିକା କାହିଁକି ରହିଛି। ଗର୍ଭନିରୋଧକ ବଟିକା କାହା ନିର୍ଦ୍ଦେଶରେ ରଖାଯାଇଛି?

ଏହି ଘଟଣା ନେଇ ବିବାଦ ଉପୁଜିବା ପରେ ଇନ-ଚାର୍ଜ ସିଇଓ ଭୁରସିଂହ ରାୱତ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଉପହାର ବାକ୍ସରେ କନ୍ୟାଙ୍କୁ କଣ୍ଡୋମ ଏବଂ ଗର୍ଭନିରୋଧକ ବଟିକା ଦେବାକୁ କୌଣସି ନିର୍ଦ୍ଦେଶ ନ ଥିବା ବେଳେ ଏହା ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟ। ଏଭଳି କହି ସେ ସ୍ବାସ୍ଥ୍ୟ ବିଭାଗ ମୁଣ୍ଡରେ ଅଠା ବୋଳିଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ଆଦିବାସୀ ବହୁଳ ଜିଲାରେ ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ, ଡିଣ୍ଡୋରିର କନ୍ୟା ବିବାହ କାର୍ଯ୍ୟକ୍ରମରେ ବିବାହ କରୁଥିବା କନ୍ୟାଙ୍କର ଗର୍ଭଧାରଣ ପରୀକ୍ଷା କରିବାକୁ ବାଧ୍ୟ କରାଯାଇଥିଲା। ଏଭଳି କାର୍ଯ୍ୟକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା।

Share