Categories: ଖେଳ

ବହୁତ ଯନ୍ତ୍ରଣା ହେଉଛି, ଆପଣମାନଙ୍କ ଆଶୀର୍ବାଦ ଲୋଡ଼ା: ଅଖ୍‌ତର

ନୂଆଦିଲ୍ଲୀ,୯।୮: ପାକିସ୍ତାନର ପୂର୍ବତନ ମହାନ ଦ୍ରୁତ ବୋଲର୍‌ ଶୋଏବ ଅଖତର୍‌ ଏବେ ହସ୍ପିଟାଲ୍‌ରେ। ତାଙ୍କ ଆଣ୍ଠୁର ସର୍ଜରୀ କରାଯାଇଛି। ଦୀର୍ଘଦିନଧରି ଆଣ୍ଠୁରେ ସମସ୍ୟା ଲାଗି ରହିଥିବା ବେଳେ ସେ ଏକାଧିକ ଥର ସର୍ଜରୀ କରାଇଥିଲେ। ହେଲେ କୌଣସି ସୁଫଳ ନ ମିଳିବାରୁ ଛଅ ଥର ପାଇଁ ସେ ସର୍ଜରୀ କରାଇଛନ୍ତି। ଏହାପରେ ସେ ଏକ ଭାବବିହ୍ବଳ ଭିଡିଓ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି।

ଇନ୍‌ଷ୍ଟାଗ୍ରାମରେ ଭିଡିଓ ଶେୟାର କରି ଅଖ୍‌ତର କହିଛନ୍ତି, ସର୍ଜରୀ ରୁମ୍‌ରୁ ବାହାରିଛି। ପାଞ୍ଚରୁ ଛଅ ଘଣ୍ଟା ଧରି ଉଭୟ ଆଣ୍ଠୁର ସର୍ଜରୀ କରାଯାଇଥିଲା। ବହୁତ କଷ୍ଟ ଲାଗୁଛି। ହେଲେ ଆପଣମାନଙ୍କ ଆଶୀର୍ବାଦ ଦରକାର। ଆଶା କରୁଛି ଏହା ମୋର ଶେଷ ସର୍ଜରୀ ହେବ। ଅବସରର ୧୧ ବର୍ଷ ପରେ ବି ବହୁତ କଷ୍ଟରେ ଅଛି। ମୁଁ ଆଉ ଚାରି ପାଞ୍ଚ ବର୍ଷ କ୍ରିକେଟ ଖେଳି ପାରିଥାନ୍ତି। ହେଲେ ମୁଁ ଖେଳିଥିଲେ ଆଉ ଚାଲି ପାରି ନ ଥାନ୍ତି। ହୁଇଲ୍‌ଚେୟାରରେ ଆଶ୍ରା ଖୋଜିଥାନ୍ତି। ଏହି କାରଣରୁ କ୍ରିକେଟରୁ ସନ୍ୟାସ ନେଇଗଲି। ଦ୍ରୁତ ବୋଲର ହୋଇଥିବାରୁ ଏଭଳି ହୋଇଥାଏ। ଆପଣଙ୍କୁ ହାଡ ହରାଇବାକୁ ପଡେ। ହେଲେ କିଛି କଥା ନାହିଁ। ମୋତେ ପାକିସ୍ତାନ ପାଇଁ ପୁଣି ଥରେ ସେଭଳି କରିବାକୁ ପଡ଼ିଲେ କରିବି ବୋଲି ସେ କହିଛନ୍ତି।

କହିରଖୁଛୁ, ଦ୍ରୁତ ବୋଲିଂ ପାଇଁ ଜଣାଶୁଣା ଅଖ୍‌ତର ୧୯୯୭ରେ କ୍ୟାରିୟର ଆରମ୍ଭ କରିଥିବା ବେଳେ ଶେଷ ଅନ୍ତର୍ଜାତୀୟ ମୁକାବିଲା ୨୦୧୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ। ସେ ମୋଟ ୪୬ ଟେଷ୍ଟ, ୧୬୩ ଦିନିକିଆ ଏବଂ ୧୫ ଟି୨୦ ମୁକାବିଲା ଖେଳିଛନ୍ତି। ଏଥିରେ ସେ ମୋଟ ୪୪୪ ଉଇକେଟ ନେଇଛନ୍ତି।

Share